ସଂରକ୍ଷଣ ବିରୋଧରେ ବିଭିନ୍ନ ସଂଗଠନର ଭାରତ ବନ୍ଦ ! ଉତ୍ତର ପ୍ରଦେଶରେ ବଦଳିଗଲା ଆମ୍ବେଦକରଙ୍କ ରଙ୍ଗ

24

କନକ ବ୍ୟୁରୋ : ଶିକ୍ଷା ଓ ଚାକିରି କ୍ଷେତ୍ରରେ ଜାତିଭିତ୍ତିକ ଆରକ୍ଷଣକୁ ବିରୋଧ କରି ଭାରତ ବନ୍ଦ ପାଳନ ବେଳେ ଉତ୍ତର ପ୍ରଦେଶରେ ସମ୍ବିଧାନ ପ୍ରତିଷ୍ଠାତା ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରଂଗକୁ ନେଇ ରାଜନୀତି ଜୋର୍ ଧରିଛି । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ଗେରୁଆ ଏବଂ ପରେ ନୀଳ ରଂଗ ଦିଆଯାଇଛି ।

ଦଳିତ ଆରକ୍ଷଣକୁ ନେଇ ରାଜନୀତି ଭିତରେ ବଦଳିଯାଇଛି ସମ୍ବିଧାନ ପ୍ରତିଷ୍ଠାତା ବିଆର୍. ଆମ୍ବେଦକରଙ୍କ ରଂଗ । କେତେବେଳେ ଗେରୁଆ ତ ଆଉ କେତେବେଳେ ନୀଳ । ଉତ୍ତର ପ୍ରଦେଶର ବଦାୟୁଁରେ ଗତ ଶନିବାର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭାଂଗିଦେଇଥିଲେ କିିଛି ଦୁର୍ବୃତ୍ତ । ପରେ ଏହାକୁ ପୁଣି ନିର୍ମାଣ କରିଥିଲା ପ୍ରଶାସନ । ହେଲେ ଆମ୍ବେଦକରଙ୍କ କୋଟ୍ ରଂଗ ଗେରୁଆ କରାଯାଇଥିଲା । ବିଜେପିର ରଂଗକୁ ନେଇ ପ୍ରତିବାଦ ତୀବ୍ର ହେବା ପରେ ଆମ୍ବେଦକରଙ୍କ ମୂର୍ତ୍ତିକୁ ନୀଳ ରଂଗ ଦେଇଦେଇଛି ବିଏସପି ।

ଆରକ୍ଷଣ ସପକ୍ଷବାଦୀ ବନାମ ବିପକ୍ଷବାଦୀ । ଶିକ୍ଷା ଓ ଚାକିରି କ୍ଷେତ୍ରରେ ଜାତି ଭିତ୍ତିକ ଆରକ୍ଷଣକୁ ନେଇ ମୁହାଁମୁହିଁ ସ୍ଥିତି । ଭଂଗାରୁଜା, ପୋଡାଜଳା ଓ ଟେକାପଥର ମାଡ । ଅଟକିଲା ଟ୍ରେନ୍ , ଇଂଟରନେଟ୍ ବନ୍ଦ, କର୍ଫ୍ୟୁ ଜାରି । ପ୍ରଶାସନର ଏତେସବୁ ଉଦ୍ୟମ ପରେ ବି ଅନେକ ସ୍ଥାନରେ ଦେଖାଦେଇଛି ଅଶାନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ସବୁଠି ଜଳିଛି ଆରକ୍ଷଣ ବିରୋଧୀ ନିଆଁ । ବନ୍ଦ ପାଳନ ନେଇ କେନ୍ଦ୍ର ଗାଇଡଲାଇନ୍ ଜାରି କରିବା ପରେ ବି ଥମିନି ହିଂସା ।