କନକ ନ୍ୟୁଜର ରିଅଲିଟି ଚେକ୍ : ଦାନ ପାଇଁ ପଡିଛି ଥାଳି, ହେଲେ ହଇରାଣ କରୁନାହାଁନ୍ତି ସେବାୟତ । ଭକ୍ତ କହିଲେ, ସୁରୁଖୁରୁରେ ହେଲା ଜଗା ଦର୍ଶନ

32

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଚର୍ଚ୍ଚାରେ ଶ୍ରୀମନ୍ଦିରରେ ସଂସ୍କାର । ଏପରିକି ଏ ନେଇ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଗତ ସପ୍ତାହରେ ପୁରୀ ଆସି ଶଙ୍କାରାଚାର୍ଯ୍ୟ, ଗଜପତି, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଏଠାରେ ବଡ ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିରରେ ଆସୁଛି କି ସଂସ୍କାର । ଆମିକସ କ୍ୟୁରୀ ଯିବାର ଦୁଇଦିନ ପରେ ଶ୍ରୀମନ୍ଦିରରେ କ’ଣ ପରିବର୍ତ୍ତନ ହୋଇଛି ସେ ନେଇ କନକ ନ୍ୟୁଜ କରିଥିଲା ରିଏଲଟି ଚେକ୍ । ଶ୍ରୀମନ୍ଦିର ଭିତର ସହ ପାଶ୍ୱର୍ ଦେବାଦେବୀରେ କ’ଣ ପରବର୍ତ୍ତନ ହୋଇଛି ସେ ନେଇ ପରଖିଥିଲା ସ୍ଥିତି । ଏହି ସମୟରେ ଦେଖାଦେଇଥିଲା, ମନ୍ଦିର ଭିତରେ ଥାଳି ପୂର୍ବଭଳି ରହିଛି । ସେବାୟତମାନେ କିନ୍ତୁ ଜୋରଜବରଦସ୍ତି ଦାନ ମାଗୁନାହାନ୍ତି । ଅର୍ଥାତ୍ ମୋଟାମୋଟି ଭାବେ ଶ୍ରୀମନ୍ଦିରରେ ଆଂଶିକ ପରିବର୍ତ୍ତନ ଆସିଥିବା ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଭୋର ୫ଟା ପୂର୍ବରୁ ସାଧାରଣ ଭକ୍ତ ଭାବରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଗୋପାଳ ସୁବ୍ରମଣ୍ୟମ । ହେଲେ ଗର୍ଭଗୃହ ବନ୍ଦ ଥିଲା ଏବଂ ବହୁ ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଅପେକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟରେ କାହିଁକି ଗର୍ଭଗୃହ ଖୋଲା ଯାଇନଥିଲା ସେନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ବେଶରେ ପହଂଚିଥିଲେ । ଏହାସହ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ମଧ୍ୟ ସାକ୍ଷାତ କରି ମନ୍ଦିର ବ୍ୟବସ୍ଥାବଳୀ ସଂପର୍କରେ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ । ଗଜପତି ମହାରାଜଙ୍କୁ ଭେଟି ଶ୍ରୀମନ୍ଦିରରେ ସଂସ୍କାର ପାଇଁ ବିଷଦ ଭାବେ ଆଲୋଚନା କରିବା ପରେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ବଡ ନିଷ୍ପତି ନିଆଯାଇଥିଲା ।

ଏଣିକି ମନ୍ଦିର ଭିତରେ ଦାନ ଓ ଦକ୍ଷିଣା ନେଇ ପାରିବେନି ସେବାୟତ । ସବୁଠୁ ବଡ କଥା ହେଲା, ମନ୍ଦିର ମଧ୍ୟରେ ଥାଳି ଓ ଦାନ ପାତ୍ର ରହିବ ନାହିଁ । ଶ୍ରୀମନ୍ଦିର ମଧ୍ୟରେ ଥିବା ପାଶ୍ୱର୍ ଦେବାଦେବୀଙ୍କ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ପ୍ରଶାସନ ହାତରେ ରହିବ । ଏହାଛଡା ସେବାୟତଙ୍କ ଦାନ ଓ ଦକ୍ଷିଣା ଉପରେ ରୋକ ଲଗାଇବାକୁ ୪ ଦ୍ୱାରରେ ୪ଟି ହୁଣ୍ଡି ଲଗାଯିବ । ଏସବୁକୁ ଅନୁଧ୍ୟାନ କରିବାକୁ ଆମିକସ କ୍ୟୁରି ପ୍ରତି ୨ ମାସରେ ଶ୍ରୀମନ୍ଦିର ଆସିବେ ।