ପିସିସିରେ ପରିବର୍ତ୍ତନ ! ଦିଲ୍ଲୀରେ ଡେରା ପକାଇଲେ କଂଗ୍ରେସ ନେତା

30

କନକ ବ୍ୟୁରୋ : ବଦଳିପାରନ୍ତି ରାଜ୍ୟ କଂଗ୍ରେସ୍ ମଙ୍ଗୁଆଳ । ପଂଚାୟତ ନିର୍ବାଚନରେ ବିପର୍ଯ୍ୟୟ ପରେ ଆରମ୍ଭ ହୋଇଛି ପରିବର୍ତନର ପର୍ବ । ପ୍ରସାଦଙ୍କୁ ଦକ୍ଷତା ଆଉ ନେତୃତ୍ୱ ଉପରେ ଖୁବ ଅସନ୍ତୁଷ୍ଟ ହାଇକମାଣ୍ଡ । ତେଣୁ ମିଶନ ୨୦୧୯ ପାଇଁ ନୂଆ ସଭାପତିଙ୍କୁ ଦାୟିତ୍ୱ ଦିଆଯିବ । ଏନେଇ ରାହୁଲ ଗାନ୍ଧୀ ରାଜ୍ୟ ନେତାଙ୍କ ସହ ଆରମ୍ଭ କରିଛନ୍ତି ମାନସ ମନ୍ଥନ । ଖୁବଶୀଘ୍ର ଦିଲ୍ଲୀରୁ ଆସିବ ବଦଳିର ନିଷ୍ପତି ।

ସୂଚନା ଅନୁସାରେ, ଗତ ୧୫ ତାରିଖ ଦିନ ଜଣେ ପୂର୍ବତନ ସାଂସଦ ଆଉ ଜଣେ ବିଧାୟକ ଭେଟିଥିଲେ ରାହୁଲଙ୍କୁ । ଯେଉଁଥିରେ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ଆଉ ବିଜେପିର ଅଭ୍ୟୁଦୟ ଉପରେ ହୋଇଥିଲା ବିଶଦ ଆଲୋଚନା । ଉଠିଥିଲା ଦୁଇ ନେତାଙ୍କ ନାଁ ।

ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ପଶ୍ଚିମ ଓଡିଶାର ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆଉ ଜଣେ ପୂର୍ବତନ ସଭାପତିଙ୍କ ନାଁକୁ ନେଇ ରାହୁଲ କରିଥିଲେ ପ୍ରଶ୍ନ । ଅନୁମାନ କରାଯାଉଛି ଏମାନଙ୍କ ମଧ୍ୟରୁ ଜଣକୁ ଦିଆଯାଇପାରେ ପିସିସି ଭାର । ଖାଲି ଏତିକି ନୁହେଁ, ଓଡିଶାରେ ବିଜେପିର ବଢୁଥିବା କଳେବରକୁ ନେଇ ରାହୁଲ ଚିନ୍ତିତ । ଆଲୋଚନା ବେଳେ ପ୍ରଶ୍ନ କରିଥିଲେ, ଏତେ କ୍ଷମତା ଦିଆଯିବା ସତ୍ୱେ କାହିଁକି ଫେଲ ହେଲେ ପ୍ରସାଦ? କାହିଁକି ଆଗକୁ ବଢିଗଲା ବିଜେପି? ନେତାଙ୍କ ଉତର ଥିଲା ପିସିସି ଆଉ ବିଧାୟକ ଦଳ ଭିତରେ ଥିବା ଫାଟ ଦଳ ବିପର୍ଯ୍ୟୟ ପଛର ମୂଳ କାରଣ ।

ରାହୁଲଙ୍କ ଏସବୁ ପ୍ରଶ୍ନ ସ୍ପଷ୍ଟ ପ୍ରମାଣିତ କରୁଥିଲା, ରାଜ୍ୟରେ ସଂଗଠନକୁ ସୁଧାରିବାକୁ ଦଳ ବେଶ ତତ୍ପର ହୋଇଛି । ଏପରିକି ଗତ ୧୮ ତାରିଖ ଦିନ ଏଆଇସିସିରେ ବଡ ଧରଣର ମାନସ ମନ୍ଥନ ବି ସରିଛି । ବ୍ଲକ ସ୍ତରରେ ଦଳର ସଂଗଠନକୁ ଦୃଢ କରିବାକୁ ଆଉ କଣ ସବୁ ଆବଶ୍ୟକ, ତା ଉପରେ ହୋଇଥିଲା ବିଚାର ବିମର୍ଶ । ଏଥିରେ ଭକ୍ତ ଦାସ ସାମିଲ ହୋଇଥିଲେ ।

ନିକଟରେ ସରିଥିବା ପଂଚାୟତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତି ଶୋଚନୀୟ ଥିଲା । ଦ୍ୱିତୀୟ ସ୍ଥାନରୁ ଦଳ ଖସି ଆସିଥିଲା ତୃତୀୟ ସ୍ଥାନକୁ । ଏହାପରେ ଦଳ ଭିତରେ ଏକ ଅସମ୍ଭବ ନୀରବତା ଦେଖାଦେଇଛି । ସୂଚନା ଅନୁସାରେ, ଖୁବଶୀଘ୍ର ପିସିସି ସଭାପତି ବଦଳାଇ ଦଳକୁ ୨୦୧୯ ପାଇଁ ପ୍ରସ୍ତୁତ କରିବାକୁ ରାହୁଲ ଯୋଜନା କରିଛନ୍ତି ।