୩ ଭାରତୀୟଙ୍କୁ ମହାକାଶରେ ପହଞ୍ଚିବାକୁ ଲାଗିବ ମାତ୍ର ୧୬ ମିନିଟ୍ । ୨୦୨୨ ସୁଦ୍ଧା ଇସ୍ରୋର ଗଗନଯାନ ସ୍ୱପ୍ନ

44

ମାତ୍ର ୧୬ ମିନିଟରେ ମହାକାଶରେ ପହଁଚିବେ ୩ ଭାରତୀୟ ମହାକାଶଚାରୀ । ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରରୁ ଗଗନଯାନ ଲଂଚ ହେବାର ମାତ୍ର ୧୬ମିନିଟରେ ମହାକାଶଚାରୀ ମହାକାଶରେ ପହଁଚିବେ ବୋଲି କହିଛନ୍ତି ଇସ୍ରୋ ନିର୍ଦ୍ଦେଶକ । ଏଥିପାଇଁ ତିନି ଜଣଙ୍କୁ ଚୟନ କରାଯାଇଛି ଓ ସେମାନଙ୍କ ପ୍ରଶିକ୍ଷଣ ନିମନ୍ତେ ବ୍ୟବସ୍ଥା କରାଯାଇଛି । ସେପଟେ ଆସନ୍ତା ବର୍ଷ ଜାନୁଆରୀ ମାସରେ ଚନ୍ଦ୍ରଯାନ ୨ ପ୍ରେରଣ କରିବ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ ଇସ୍ରୋ ।

ପୂର୍ବରୁ ଚନ୍ଦ୍ରଯାନ ପ୍ରେରଣ ନେଇ ଅନେକ ଥର ସମୟ ପରିବର୍ତନ କରାଯିବା ପରେ ଇସ୍ରୋ ଏହାକୁ ୨୦୧୯ ମାର୍ଚ୍ଚ ମାସ ପୂର୍ବରୁ ସାରିବାକୁ ନିଷ୍ପତି ନେଇଛି । ଚନ୍ଦ୍ରଯାନ ପ୍ରେରଣ କଲେ ଆମେରିକା, ଋଷ ଓ ଚୀନ ପରେ ଚତୁର୍ଥ ଦେଶ ଭାବେ ଏହି ତାଲିକାରେ ସ୍ଥାନ ପାଇବ ଭାରତ । ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ ଉପରେ ବିଶେଷ ଗବେଷଣା କରା ଯାଇନଥିବାରୁ ଇସ୍ରୋ ଏସମ୍ପର୍କରେ ଅନୁସନ୍ଧାନ କରିବ ବୋଲି କୁହାଯାଇଛି । ଚନ୍ଦ୍ରଯାନ ୨ ମିସନରେ ୮୦୦ କୋଟି ଟଙ୍କା ବ୍ୟୟ ହେବାର ଅନୁମାନ କରାଯାଉଛି । ପୂର୍ବରୁ ମାତ୍ର ୪୭୦ କୋଟି ଟଙ୍କାରେ ଇସ୍ରୋର ମଙ୍ଗଳଯାନ ଅଭିଯାନ ସଫଳ ହୋଇଥିଲା । ଅଭିଯାନ ସଫଳ କରିବାକୁ ମହାକାଶ ଗବେଷଣା ପ୍ରତିଷ୍ଠାନର ପ୍ରସ୍ତୁତି ଚୂଡ଼ାନ୍ତ ସ୍ତରରେ ପହଂଚଥିବା ଜଣାପଡ଼ିଛି ।

ଚନ୍ଦ୍ରଯାନ ୨ରେ ଅନେକ ସ୍ୱତନ୍ତ୍ରତା ରହିଛି । ଏହାର ଓଜନ ୩ହଜାର ୨୯୦ କିଲୋଗ୍ରାମ ରହିବ । ପୃଥିବୀ ଠାରୁ ଚନ୍ଦ୍ର ୩ ଲକ୍ଷ ୮୨ ହଜାର କିମି ଦୂରରେ ଥିବାରୁ ମାସେରୁ ୨ମାସ ମଧ୍ୟରେ ଏହା ଚନ୍ଦ୍ରପୃଷ୍ଠରେ ପହଂଚିବ । ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ଚନ୍ଦ୍ର ଯାନ ୨ ଅବତରଣ କରିବ । ଅବତରଣ ପରେ ଏହା ପ୍ରେରକ ଯାନରୁ ଅଲଗା ହୋଇ ସ୍ୱତନ୍ତ୍ର ଭାବେ କାମ କରିବ । ଚନ୍ଦ୍ରଯାନ ୨ ବା ରୋଭର୍ ଚନ୍ଦ୍ରପୃଷ୍ଠରେ ୧୪ ଦିନ ରହି ୧୫୦ରୁ ୨୦୦ କିମି ପର୍ଯ୍ୟନ୍ତ ଯାତ୍ରାକରିବ । ୧୪ ଦିନ ପରେ ଏହା ସ୍ଲିପିଙ୍ଗ୍ ମୋଡକୁ ଚାଲିଯିବ । ତେବେ ଦରକାର ପଡ଼ିଲେ ସୂର୍ଯ୍ୟାଲୋକରୁ ଶକ୍ତି ସଂଗ୍ରହ କରି ଏହା ପୁଣି କାର୍ଯ୍ୟକ୍ଷମ ହୋଇପାରିବ ।