ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାକୁ ପ୍ରସ୍ତୁତ ଲ୍ୟାଣ୍ଡର ବିକ୍ରମ । ଜହ୍ନ ଠାରୁ ୩୫ କିଲୋମିଟର ଦୂରରେ ଘୁରି ବୁଲୁଛି, ସଫ୍ଟ ଲାଣ୍ଡିଂ ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ବଡ ଚାଲେଞ୍ଜ

ଚନ୍ଦ୍ରପୃଷ୍ଠ ଠାରୁ ମାତ୍ର ୩୫ କିଲୋମିଟର ଦୁରରେ ରହି ଚନ୍ଦ୍ରଯାନ -୨ ପ୍ରଦିକ୍ଷଣ କରୁଛି ।

926

କନକ ବ୍ୟୁରୋ: ଚନ୍ଦ୍ରର ଅତି ନିକଟତର ହେଲା ଚନ୍ଦ୍ରଯାନ -୨ । ଚନ୍ଦ୍ରପୃଷ୍ଠ ଠାରୁ ମାତ୍ର ୩୫ କିଲୋମିଟର ଦୁରରେ ରହି ଚନ୍ଦ୍ରଯାନ -୨ ପ୍ରଦିକ୍ଷଣ କରୁଛି । ଏଥିସହ ଜହ୍ନର ଦକ୍ଷିଣ ମେରୁରେ ଅବତରଣ ପାଇଁ ଆରମ୍ଭ ହୋଇଯାଇଛି କାଉଂଟଡାଉନ । ବୁଧବାର ଭୋର ୩ଟା ୪୨ ମିନିଟରେ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ନିକଟତମ କକ୍ଷରେ ଅବସ୍ଥାପିତ କରାଯାଇଛି । ଏବେ ସେକେଣ୍ଡ ପିଛା ୨ କିଲୋମିଟର ବେଗରେ ଗତି କରୁଛି ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରର ୩୫ କିଲୋମିଟର ନିକଟ ଓ ୧୨୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ବିକ୍ରମ ଲ୍ୟାଣ୍ଡର ଘୁରିବୁଲୁଛି । ପ୍ରାୟ ୪୧ ଘଂଟା ପରେ ସେପ୍ଟେମ୍ବର ୬ ତାରିଖ ଓ ୭ ତାରିଖ ରାତି ୧ଟା ୩୦ରୁ ୨ଟା ୩୦ ସମୟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର । ଶନିବାର ରାତି ୧ଟା ୩୦ରେ, ୩୫ କିଲୋମିଟରୁ ଉଚ୍ଚରୁ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ଆରମ୍ଭ କରିବ ।
ସେହି ସମୟରେ ବିକ୍ରମର ଗତି ରହିବ ସେକେଣ୍ଡ ପିଛା ୨ ଶହ ମିଟର । ଏହି ସମୟ ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ସବୁଠୁ ବଡ ଚାଲେଞ୍ଜ । ଚନ୍ଦ୍ରପୃଷ୍ଠରୁ ୬ କିଲୋମିଟର ଉଚ୍ଚରେ ଲାଣ୍ଡର ଥିବା ବେଳେ ଅବତରଣ ଗତିରେ ପରିବର୍ତନ ଅଣାଯାଇ ସେକେଣ୍ଡକୁ ୨ ମିଟରରେ ଦକ୍ଷିଣ ମେରୁରେ ଅବତରଣ କରିବ । ସେପ୍ଟେମ୍ବର ୬ ଓ ୭ ତାରିଖ ରାତିର ସେହି ଐତିହାସିକ ମୁହୂର୍ତ ଉପରେ ସାରା ବିଶ୍ୱର ନଜର ରହିଛି ।