ଅବତରଣ ବେଳେ ଶେଷ ସମୟରେ ହଠାତ୍ ଅଟକିଗଲା ଲ୍ୟାଣ୍ଡର ବିକ୍ରମ : ରାତି ୨ଟା ୧ମିନିଟ୍ ପର ଠାରୁ ମିଳିନି ତଥ୍ୟ, ଅର୍ବିଟର ଠାରୁ ଆଗାମୀ ଫଟୋ ଆସିଲେ ସ୍ପଷ୍ଟ ହେବ ବିକ୍ରମ ସହିତ କଣ ଘଟିଛି ମହାକାଶରେ ?

3,915

କନକ ବ୍ୟୁରୋ : ଦୀର୍ଘ ୪୭ ଦିନ ଧରି ମହାକାଶରେ ଯାତ୍ରା । ହେଲେ ଏହା ପରେ ସାରା ଦେଶବାସୀ ଚନ୍ଦ୍ରଯାନ ୨ ଠାରୁ ଯେଉଁ ଖବର ଆଶା କରିଥିଲେ ତାହା ମିଳିପାରିନାହିଁ । ହଠାତ୍ ସବୁ କିଛି ମହାକାଶରେ ଅଟକି ଯାଇଛି । ରାତି ୨ ଟା ୧ ମିନିଟ ପରଠାରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରୁଥିବା ଲ୍ୟାଣ୍ଡର ବିକ୍ରମ ଠାରୁ କୌଣସି ତଥ୍ୟ ମିଳୁନାହିଁ । ଏ ସବୁ ଭିତରେ ଭାରତର ମିଶନ ଚନ୍ଦ୍ରଯାନ ୨ ଅଧାରେ ରହିଯାଇଛି ।

ଅବତରଣର ସ୍ଥାନ ତ ଆଗୁଆ ସ୍ଥିର ହୋଇସାରିଥିଲା । ରାତି ୨ଟା ଯାଏଁ ସବୁକିଛି ଠିକ୍ ଠାକ୍ ଚାଲିଥିବା ବେଳେ ହଠାତ୍ ଶେଷ ସମୟରେ ଗତିପଥରେ ତେବେ ହଠାତ୍ କାହିଁକି ଅଟକିଗଲା ଲ୍ୟାଣ୍ଡର ବିକ୍ରମ । ଏହି ପ୍ରଶ୍ନ ଏବେ ସାରା ଦେଶବାସୀଙ୍କ ମନରେ ସୃଷ୍ଟି ହୋଇଛି । ଶୁକ୍ରବାର ରାତି ୨ ଟା ୧ ମିନିଟ୍ ପର ଠାରୁ ଲ୍ୟାଣ୍ଡର ବିକ୍ରମ ଠାରୁ ମିଳିନି କୌଣସି ତଥ୍ୟ । ଅର୍ଥାତ୍ ଏହା ସହିତ କିଛି ଅଘଟଣ ଘଟିଛି କି । ଅର୍ବିଟର ସହିତ ଏହାର ସଂପର୍କ ଛିନ୍ନ ହୋଇଯାଇଛି କି । ଚନ୍ଦ୍ର ପୃଷ୍ଠର ନିକଟବର୍ତ୍ତି ହେବା ପରେ ଅବତରଣ କରିବା ବେଳେ ଏହା ସହିତ କିଛି ଅଘଟଣ ଘଟିଲା କି । ଏବେ ଏହି ପ୍ରଶ୍ନ ହିଁ ଉଙ୍କି ମାରୁଛି । ତେବେ ଏନେଇ ଏବେ ଇସ୍ରୋ ବି କିଛି ସ୍ପଷ୍ଟ କରିପାରିନି । କେବଳ ଇସ୍ରୋ ଏତିକି ସ୍ପଷ୍ଟ କରିଛି ଶନିବାର ଇସ୍ରୋ କରିବାକୁ  ଥିବା ପ୍ରେସମିଟକୁ ରଦ୍ଦ କରାଯାଇଛି । ଏଭଳି ସ୍ଥିତିରେ ମହାକାଶ ବିଜ୍ଞାନୀଙ୍କ ଭରସା ଅଟକିଛି ଅର୍ବିଟର ଉପରେ । ଯାହା ଏବେ ଚନ୍ଦ୍ର ଚାରିପାଖରେ ପରିକ୍ରମଣ କରୁଛି । ଏହା ପୁଣି ଲ୍ୟାଣ୍ଡର ବିକ୍ରମ ଉପର ଭାଗ ଦେଇ ଗତି କଲା ବେଳେ ଯେଉଁ ଫଟୋ ଉତ୍ତୋଳନ କରିବ, ସେଥିରୁ କିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

ସେପଟେ ଇସ୍ରୋର ମୁଖ୍ୟାଳୟରେ ଚନ୍ଦ୍ର ଯାନ ୨ ର ଲାଇଭ୍ ଯାତ୍ରା ଦେଖୁଥିବା ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କ ମନୋବଳ ବଢାଇଛନ୍ତି । କହିଛନ୍ତି ସଫଳତା ବିଫଳତା ଲାଗି ରହିଥାଏ । ସାହସର ସହ ସମସ୍ତେ ଆଗକୁ ବଢନ୍ତୁ ବୈଜ୍ଞାନିକ ।