ଆସନ୍ତାକାଲି ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡକୁ ଯିବ ଚନ୍ଦ୍ରଯାନ-୨ । ଜୁଲାଇ ୧୫ରେ ହେବ ଉତକ୍ଷେପଣ ।

237

କନକ ବ୍ୟୁରୋ : ଆସନ୍ତା କାଲି ଭାରତର ଚନ୍ଦ୍ରଯାନ-୨ ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡକୁ ଯିବ । ଏହାକୁ ଇତି ମଧ୍ୟରେ ଜିଏସଏଲଭି ମାକ-୨ ରକେଟରେ ଇଣ୍ଟିଗ୍ରେସନ କରାଯାଇଛି । ଜୁଲାଇ ୧୫ରେ ଏହି ଚନ୍ଦ୍ରଯାନ-୨କୁ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି । ଗତ ଫେବ୍ରୁଆରୀରେ ଇସ୍ରାଏଲର ଚନ୍ଦ୍ର ଅଭିଯାନ ବିଫଳ ହେବା ପରେ ଭାରତୀୟ ଚନ୍ଦ୍ରଯାନ ଯେପରି ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାରେ ସଫଳ ହେବ ସେଥିଲାଗି କୌଣସି ରିସ୍କ ନେବାକୁ ଚାହୁଁନାହିଁ । ଏଥିପାଇଁ ଚନ୍ଦ୍ରଯାନର ଉତକ୍ଷେପଣକୁ ପୂର୍ବରୁ ବାରମ୍ବାର ଘୁଞ୍ଚାଇ ଶେଷରେ ଜୁଲାଇ ୧୫ରେ ସ୍ଥିର କରାଯାଇଛି । ପ୍ରସ୍ତୁତିକୁ ଆହୁରି ତ୍ରୁଟିଶୂନ୍ୟ କରିବାକୁ ପଦକ୍ଷେପ ନିଆଯାଉଛି ।

ଭାରତର ଚନ୍ଦ୍ରଯାନ ପୂର୍ବରୁ ଗତ ଜାନୁୟାରୀ ମାସରେ ଆରମ୍ଭ ହେବାର ଥିଲା । କିନ୍ତୁ ପରେ ତାହାକୁ ଏପ୍ରିଲ, ତା ପରେ ମେ ଓ ପରେ ଜୁଲାଇ ମାସକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ନିଜ ଅଭିଯାନରେ ସଫଳ ହେଲେ ଏପରି କରିବାରେ ଭାରତ ବିଶ୍ବର ୪ର୍ଥ ଦେଶ ହେବ । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଏହି ସଫଳତା ହାସଲ କରିଛନ୍ତି । ଇସ୍ରାଏଲ ନିଜର ଚନ୍ଦ୍ରଯାନ ବେରେସିଟକୁ ଗତ ଫେବ୍ରୁଆରୀ ମାସରେ ଲଞ୍ଚ କରିଥିଲା । କିନ୍ତୁ ଏହା ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହୋଇଥିଲା ।