ଟଳିଲା ଚନ୍ଦ୍ରାୟନ-୨ ମିଶନ: ଡିସେମ୍ବର ଯାଏଁ ଅଭିଯାନକୁ ଘୁଂଚାଇଲା ଇସ୍ରୋ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଦଳିଲା ନିଷ୍ପତି

66

କନକ ବ୍ୟୁରୋ: ଭାରତର ମହତ୍ୱକାଂକ୍ଷୀ ଚନ୍ଦ୍ରଯାନ-୨ ମିଶନ ପୁଣି ଘୁଂଚିଛି । ଚଳିତ ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ଚନ୍ଦ୍ରଯାନ-୨କୁ ମହାକାଶ ପଠାଇବା ପାଇଁ ସ୍ଥିର ହୋଇଥିଲା । ହେଲେ ଇସ୍ରୋ ଏବେ ଚନ୍ଦ୍ରଯାନ-୨ ମିଶନକୁ ଆସନ୍ତା ଡିସେମ୍ବର ଯାଏଁ ଟାଳି ଦେଇଥିବା ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡେରି ହେଉଥିବା କୁହାଯାଇଛି । ଫଳରେ ଚନ୍ଦ୍ରରେ ପହଂଚିବା ଦୌଡରେ ଇସ୍ରାଏଲ ଠାରୁ ଭାରତ ପଛରେ ପଡିଯାଇପାରେ ଏପରି ସମ୍ଭାବନା ଦେଖା ଦେଇଛି । ପୂର୍ବରୁ ଆମେରିକା, ରୁଷ ଓ ଚୀନ ଚନ୍ଦ୍ର ପୃଷ୍ଠରେ ନିଜ ଉପସ୍ଥିତି ଜାହିର କରିସାରିଛନ୍ତି । ଏବେ ଚତୁର୍ଥ ରାଷ୍ଟ୍ର ଭାବେ ଚନ୍ଦ୍ର ଯାଏଁ ପହଂଚିବା ଦୌଡରେ ଏସିଆର ଦୁଇ ରାଷ୍ଟ୍ର ଭାରତ ଓ ଇସ୍ରାଏଲ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।

ଏବେ ଦେଖିବା କଥା ଭାରତ ମିଶନ ଟାଳି ଦେଇଥିବାରୁ ଚତୁର୍ଥ ରାଷ୍ଟ୍ର ଭାବେ ଚନ୍ଦ୍ରରେ ପାଦ ଦେବକି ଇସ୍ରାଏଲ । ତେବେ ଚନ୍ଦ୍ରଯାନ-୨ ମିଶନ ଟଳିବାର ମୁଖ୍ୟ କାରଣ ଯାନ୍ତ୍ରିକ ତ୍ରୁଟି ବୋଲି କୁହାଯାଇଛି । ପୂର୍ବରୁ ଗତ ବର୍ଷ ଅପ୍ରେଲ ୨୩ ତାରିଖରେ ଚନ୍ଦ୍ରଯାନ-୨କୁ ଉତକ୍ଷେପଣ ଧାଯ ର୍୍ୟ ହୋଇଥିଲା । ହେଲେ ସମୟରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତର ମହତ୍ୱକାଂକ୍ଷୀ ଚନ୍ଦ୍ରଯାନ-୨ ମିଶନ ଘୁଂଚିଥିଲା । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ର ଓଜନ ୩ହଜାର ୨୯୦ କିଲୋଗ୍ରାମ ।

ଏହାର ନିର୍ମାଣ ବାବଦକୁ ହଲିଉଡ ଫିଲ୍ମ ଠାରୁ ମଧ୍ୟ କମ ଖର୍ଚ୍ଚ ହୋଇଛି । ମହାକାଶ ସଂପର୍କିତ ବିଷୟକୁ ନେଇ ନିର୍ମିତ ହଲିଉଡ ମୁଭି ଇଂଟରଷ୍ଟେଟଲ ବାବଦକୁ ଟଙ୍କା ଖର୍ଚ୍ଚ ହୋଇଛି ୧ହଜାର ୬୨ କୋଟି । ହେଲେ ଚନ୍ଦ୍ରଯାନ-୨ ବାବଦକୁ ଖର୍ଚ୍ଚ ହୋଇଛି ୮ଶହ କୋଟି ଟଙ୍କା । ତେଣୁ ଏହା ଉପରେ ସାରା ବିଶ୍ୱର ନଜର ରହିଛି ।