ଜହ୍ନକୁ ଯିବ ଭାରତୀୟ ଯାନ । ଜୁଲାଇ ୧୫ରେ ଚନ୍ଦ୍ର ଅଭିଯାନ, ଚନ୍ଦ୍ରାୟନ-୨ ପାଇଁ ଇସ୍ରୋର ପ୍ରସ୍ତୁତି ।

243

କନକ ବୁରୋ: ଆସନ୍ତା ୧୫ ଜୁଲାଇରେ ଭାରତର ଚନ୍ଦ୍ର ଅଭିଯାନ । ମହାକାଶକୁ ‘ଚନ୍ଦ୍ରାୟନ-୨’ କୁ ପଠାଇବ ଇସ୍ରୋ । ତେବେ ଏନେଇ ଆଜି ‘ଇସ୍ରୋ’ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ପୂର୍ବରୁ ଇସ୍ରୋ ତରଫରୁ ଆସନ୍ତା ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ପ୍ରଥମେ ‘ଚନ୍ଦ୍ରାୟନକୁ-୨’ର ପରୀକ୍ଷଣ କରାଯିବ ବୋଲି କୁହାଯାଇଥିଲା । ପରେ ଇସ୍ରୋ ଅଧିକାରୀମାନେ ସାମ୍ବାଦିକ ସମ୍ମିଳନୀ କରି ଜୁଲାଇ ୧୫ରେ ଉତକ୍ଷେପଣ କରାଯିବା ନେଇ ସୂଚନା ଦେଇଛନ୍ତି ।

ଆସନ୍ତା ସେପ୍ଟେ୍ମ୍ବର ୬ ତାରିଖରେ ଚନ୍ଦ୍ରାୟନ-୨ ଦକ୍ଷିଣ ଧ୍ରୁବରେ ଅବସ୍ଥାପିତ ହେବ ବୋଲି ଇସ୍ରୋ ଲକ୍ଷ୍ୟ ରଖିଛି । ସବୁଠାରୁ ବଡ଼ କଥା ହେଲା କି, ‘ଚନ୍ଦ୍ରାୟନ-୨’ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଚନ୍ଦ୍ରାୟନ-୧ର ଅର୍ବିଟରେ ୩ଟି ୟୁରୋପ ଓ ୨ଟି ଆମେରିକାର ପେଲୋଡସ ଥିବା ବେଳେ ଚନ୍ଦ୍ରାୟନ-୨ର ଅର୍ବିଟର, ଲେଣ୍ଡର ଓ ରୋବର ୩ଟି ଭାଗ ରହିଛି । ଏହି ପ୍ରକଳ୍ପ ପାଇଁ ପାଖାପାଖି ୮ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଇସ୍ରୋ ତରଫରୁ ସୂଚନା ଦିଆଯାଇଛି ।

ସେପଟେ ଦୀର୍ଘ ୧୧ ବର୍ଷ ପରେ ଇସ୍ରୋ ପୁଣି ଥରେ ଚନ୍ଦ୍ରର ଭୌଗଳିକ ସ୍ଥିତି ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଯଦି ଚନ୍ଦ୍ରାୟନ-୨ ମିଶନ ସଫଳ ହୁଏ ତାହେଲେ ଆମେରିକା, ଋଷ, ଚୀନ ପରେ ଭାରତ ଚନ୍ଦ୍ରରେ ରୋବର ଅବସ୍ଥାପିତ କରିବାରେ ଚତୁର୍ଥ ଦେଶ ହେବ । ।