ପାଖଉଛି ସମୟ, ବଢୁଛି ଉତ୍କଣ୍ଠା । ଐତିହାସିକ ମୁହୂର୍ତ୍ତର ଶେଷ ୧୫ ମିନିଟକୁ ଅପେକ୍ଷା, ଜାଣନ୍ତୁ କେମିତି ଅବତରଣ କରିବ ଚନ୍ଦ୍ରଯାନ-୨ ।

583

କନକ ବ୍ୟୁରୋ : ସମୟ ଯେତିକି ଯେତିକି ପାଖେଇ ଆସୁଛି, ଉତ୍କଣ୍ଠା ସେହି ଅନୁସାରେ ବଢ଼ି ବଢ଼ି ଚାଲିଛି । କିପରି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ଅବତରଣ କରିବ, ଏହାକୁ ନେଇ ଭାରତ ସମେତ ସାରା ବିଶ୍ୱର ନଜର ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁର କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଲାଣ୍ଡର ଅବତରଣ କରିବ, ଏହାକୁ ନେଇ କସରତ ଚଳାଇଛନ୍ତି ଇସ୍ରୋର ବୈଜ୍ଞାନିକ । ଶେଷ ୧୫ ମିନିଟ୍ ହେବ ବୈଜ୍ଞାନିକଙ୍କ ପାଇଁ ପରୀକ୍ଷାର ସମୟ । ଆଉ ଏହାକୁ ଟେରିଫାଇଙ୍ଗ୍ ମୋମେଂଟ କୁହାଯାଉଛି ।

ଚନ୍ଦ୍ରର ୧୦୦ ମିଟର ଉପରେ ଥିବ ଲାଣ୍ଡର । ନିରୂପଣ ହେବ ଅବତରଣର ସ୍ଥାନ । ୪୭ ଦିନର ଯାତ୍ରା ପରେ ଆସିଛି ଚନ୍ଦ୍ରଯାନ-୨ ମିସନର ବହୁ ପ୍ରତୀକ୍ଷିତ ମୁହୂର୍ତ । ରାତି ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ଚନ୍ଦ୍ରର ମାଟିକୁ ଛୁଇଁବ ଲାଣ୍ଡର ବିକ୍ରମ । ତେବେ ଲ୍ୟାଣ୍ଡିଂ ସ୍ପଟ ନିର୍ଦ୍ଧାରଣ ହେବ, ଯେତେବେଳେ ବିକ୍ରମ ଚନ୍ଦ୍ରର ମାତ୍ର ୧୦୦ ମିଟର ଉପରେ ଘୁରୁଥିବ ।

ତେବେ ଦୁଇଟି ଜୋନ୍ ଉପରେ ନଜର
ପ୍ରଥମ ଜୋନ୍ – ମଂଜିନସ୍
ଦ୍ୱିତୀୟ ଜୋନ୍ – ସିମ୍ପେଲିଅସ୍
ପ୍ରତ୍ୟେକ ଜୋନ୍ର ଆକାର ୫୦୦ ମିଟର
ଦୁଇ ଜୋନ୍ ମଧ୍ୟରେ ବ୍ୟବଧାନ ୧.୬ କିଲୋମିଟର

ଚନ୍ଦ୍ରର ଦକ୍ଷିଣ ମେରୁର ଉତ୍ତର ଦିଗରେ ଅବସ୍ଥିତ ଏହି ଦୁଇ ଆଗ୍ନେୟଗିରିର ମୁଖ ଗହ୍ୱର ଅଂଚଳକୁ ଅବତରଣର ସ୍ଥାନ ଭାବେ ବାଛିଛନ୍ତି ଇସ୍ରୋର ବୈଜ୍ଞାନିକ । ତେବେ ଚୂଡାନ୍ତ ନିଷ୍ପତି ନେବ ଲାଣ୍ଡର ବିକ୍ରମ । ଶେଷ ମୁହୂର୍ତରେ ଡାଟା ବିଶ୍ଲେଷଣ କରି ଅବତରଣର ସ୍ଥାନ ବାଛିବ ଲାଣ୍ଡର ।

ଅବତରଣର ଶେଷ ୧୫ ମିନିଟ୍, ଚନ୍ଦ୍ରଯାନ-୨ ମିସନର ସବୁଠୁ ଜଟିଳ ପ୍ରକ୍ରିିୟା । ଇସ୍ରୋର ଭାଷାରେ ଶେଷ ୧୫ ମିନିଟ୍ ହେଉଛି ଟେରିଫାଇଙ୍ଗ୍ ମୋମେଂଟ । କିପରି ଏହି ଅବତରଣ ସଫଳ ହେବ, ଏହାର ଟିକିନିକି ହିସାବ କରାଯାଇଛି । ଚନ୍ଦ୍ରପୃଷ୍ଠର ୩୫ କିଲୋମିଟର ଉପରେ ଘୁରୁଥିବା ବିକ୍ରମ, ତଳକୁ ଖସିବା ଆରମ୍ଭ କରିବ ।
୧୦ ମିନିଟ ଖସିବା ପରେ…ରହିବ ୭.୪ କିଲୋମିଟର ବ୍ୟବଧାନ । ଏହାର ୩୮ ସେକେଣ୍ଡ ପରେ ରହିବ ମାତ୍ର ୫ କିଲୋମିଟର ଦୂରତା । ୮୯ ସେକେଣ୍ଡ ପରେ ୪୦୦ ମିଟର ଉପରୁ ତଥ୍ୟ ସଂଗ୍ରହ କରିବ ଲାଣ୍ଡର । ରାତି ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ଯେତେବେଳେ ଚନ୍ଦ୍ରର ୧୦୦ ମିଟର ଉପରେ ରହିଥିବ, କିଛି ସେକେଣ୍ଡ ପାଇଁ ଅଟକି ଯିବ ବିକ୍ରମ ଲାଣ୍ଡର । ଏଇଠି ବିକ୍ରମ ନିଷ୍ପତି ନେବ କେଉଁ ଜୋନରେ ଅବତରଣ କରିବ ।

ପ୍ରଥମ ଜୋନ୍ – ମଂଜିନସକୁ ଅବତରଣ ସ୍ଥାନ କଲେ, ୬୫ ସେକେଣ୍ଡ ପରେ ୧୦ ମିଟର ଉପରେ ରହିବ ବିକ୍ରମ । ପରବର୍ତ୍ତୀ ୧୩ ସେକେଣ୍ଡରେ ଚନ୍ଦ୍ରର ମାଟି ଛୁଇଁବ ଚନ୍ଦ୍ରଯାନ-୨ ।

ପ୍ରଥମ ଜୋନ୍ – ମଂଜିନସ୍ ରହିଛି ଇସ୍ରୋର ପ୍ରଥମ ପସନ୍ଦ । ଯଦି ସବୁ କିଛି ଯୋଜନା ମୁତାବକ ଚାଲେ, ତେବେ ଚନ୍ଦ୍ରପୃଷ୍ଠରେ ୭୮ ସେକେଣ୍ଡରେ ଧୀର ଅବତରଣ କରିବ ବିକ୍ରମ ଲାଣ୍ଡର । ଏହା ସହ ମହାକାଶ ବିଜ୍ଞାନରେ ଏକ ବଡ଼ ସଫଳତା ପାଇବ ଇସ୍ରୋ । ଆମେରିକା, ରୁଷିଆ ଓ ଚୀନ ପରେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବାରେ ଭାରତ ହୋଇଯିବ ଚତୁର୍ଥ ରାଷ୍ଟ୍ର ।