ମହାକାଶ ଇତିହାସରେ ଭାରତ ଯୋଡିବ ଆଉ ଏକ ସଫଳ ଅଧ୍ୟାୟ । ଆସନ୍ତାକାଲି ଉତକ୍ଷେପଣ ହେବ ‘ଚନ୍ଦ୍ରଯାନ-୨’ ।

199

କନକ ବ୍ୟୁରୋ : ମହକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ‘ଚନ୍ଦ୍ରଯାନ-୨’ର ପ୍ରକ୍ଷେପଣ ସୋମବାର କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଛି । ୧୯୬୯, ଜୁଲାଇ ୨୦ ତାରିଖରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ପ୍ରଥମ ଥର ପାଇଁ ଚନ୍ଦ୍ରରେ ପାଦ ଥାପିଥିଲେ । ଏହିଦିନକୁ ୫୦ ବର୍ଷ ପୂର୍ତ୍ତି ହେବାର ମାତ୍ର ୫ ଦିନ ପୂର୍ବରୁ ଭାରତ ଏହାର ପ୍ରଥମ ଚନ୍ଦ୍ର ଅବତରଣ ମିସନ୍‌, ‘ଚନ୍ଦ୍ରଯାନ-୨ ’ଉତ୍‌‌କ୍ଷେପଣ କରିବାକୁ ଯୋଜନା କରିଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସୋମବାର (ଜୁଲାଇ ୧୫) ଭୋର୍‌ ୨.୫୧ ମିନିଟ୍‌ ସମୟରେ ଆନ୍ଧ୍ରପ୍ର‌ଦେଶ , ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ଦ୍ବିତୀୟ ମାନବବିହୀନ ମିସନ୍‌ ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ କରିବ । ‘ଚନ୍ଦ୍ରଯାନ-୨ ’ ମହାକାଶ ଯାନର ଓଜନ ୩.୮ ଟନ୍‌ । ଏହା ସମୁଦାୟ ୯୭୮ କୋଟି ଟଙ୍କାର ପ୍ରକଳ୍ପ।  ମହାକାଶ ଯାନ ପାଇଁ ୬୦୩ କୋଟି ଏବଂ ‘ଜିଏସଏଲ୍‌ଭି ଏମ୍‌କେ-୩’ ରକେଟ୍‌ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ଚନ୍ଦ୍ରଯାନ-୨ ।

ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର ନାମ ‘ବିକ୍ରମ ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି । ଆସନ୍ତା ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ । ଏହା ପରେ ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ । ଉଭୟ ରୋଭର ଏବଂ ଲ୍ୟାଣ୍ଡର ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ଏହାର ମିସନ୍‌ ଜାରି ରଖିବ । ଏହି ମିସନ୍‌ରେ ୧୩ଟି ଭାରତୀୟ ପେଲୋଡ ରହିଛି । ରୋଭର୍‌ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ, ଆଇରନ୍‌ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ । ଚନ୍ଦ୍ରର ଅନ୍ଧକାର ପାର୍ଶ୍ବକୁ ମଧ୍ୟ ଏହି ମିସନ୍‌ ଅଧ୍ୟୟନ କରିବ ।

ଭାରତର ସବୁଠୁ ଓଜନଦାର ରକେଟ୍‌ ଜିଏସ୍‌ଏଲ୍‌ଭି ଏମ୍‌କେ-୩ ‘ବାହୁବଳୀ’ ରେ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରାଯିବ । ୬୪୦ ଟନ୍‌ର ଏହି ରକେଟ୍‌ ୩.୮ ଟନ୍‌ର ଚନ୍ଦ୍ରଯାନକୁ ବହନ କରିବ । ଚନ୍ଦ୍ରଯାନ-୨ରେ ଖଂଜା ଯାଇଥିବା ‘ପେଲୋଡ’ ଗୁଡ଼ିକ ଚନ୍ଦ୍ରର ଉତ୍ପତ୍ତି ଏବଂ ପୃଥିବୀ ସହ ଏହା କିଭଳି ଜଡ଼ିତ ତାହା ବୁଝାଇବାରେ ସହାୟକ ହେବ । ଏହାବାଦ୍‌ ଚନ୍ଦ୍ରପୃଷ୍ଠରେ ବରଫ ପାଲଟି ଯାଇଥିବା ଜଳ ସନ୍ଧାନର ଲକ୍ଷ୍ୟ ମଧ୍ୟ ଏହି ମିସନ୍‌ର ଅନ୍ତର୍ଭୁକ୍ତ । ଆମେରିକା, ରୁଷ୍‌ ଏବଂ ଚୀନ୍‌ ପରେ ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣ କରିବ । ଉଲ୍ଲେଖଯୋଗ୍ୟ ଇସ୍ରୋ ମଧ୍ୟ ଚନ୍ଦ୍ରଯାନ-୧ ପାଇଁ ଏହି ସମାନ ଉତ୍‌କ୍ଷେପଣ ରଣନୀତି ଅବଲମ୍ବନ କରିଥିଲା । ୨୦୦୮ ଅକ୍ଟୋବର ୨୨ ତାରିଖରେ ଚନ୍ଦ୍ରଯାନ-୧ ଉତ୍‌କ୍ଷେପଣ ହୋଇଥିଲା । ଭାରତର ପ୍ରଥମ ମାନବବିହୀନ ଚନ୍ଦ୍ର ଅଭିଯା‌ନ ପାଇଁ ୫୪୧ କୋଟି ଖର୍ଚ୍ଚ ହୋଇଥିଲା । ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ପାଣି ଥିବା ସ୍ପଷ୍ଟ କରିଥିଲା ।

ଚନ୍ଦ୍ରଯାନ-୨ ପାଇଁ ଚ୍ୟାଲେଞ୍ଜ :
ଭାରତର ଦ୍ବିତୀୟ ଚନ୍ଦ୍ର ଅଭିଯାନ-ଚନ୍ଦ୍ରଯାନ-୨ର ମୁଖ୍ୟ ଲକ୍ଷ୍ୟ ହେଉଛି ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ତେବେ ଏହା କେବଳ ଗୋଟିଏ ବିମାନବନ୍ଦରରୁ ଅନ୍ୟ ଏକ ବିମାନବନ୍ଦରରେ ବିମାନ ପହଞ୍ଚାଇବା ଭଳି କାମ କରିବ ନାହିଁ । ବରଂ ଚନ୍ଦ୍ରଯାନ-୨ର ବାଟରେ ଅନେକ ବାଧା ବିଘ୍ନ ରହିଛି । ପୃଥିବୀପୃଷ୍ଠରୁ ଚନ୍ଦ୍ରପୃଷ୍ଠ ଯାଏଁ ପହଞ୍ଚିବାପାଇଁ ଏହି ଚନ୍ଦ୍ରଯାନକୁ ୩,୮୪୪ ଲକ୍ଷ କିମିର ଦୂରତା ଅତିକ୍ରମ କରିବାକୁ ପଡ଼ିବ । ଏଥିପାଇଁ ଅନେକ ଚ୍ୟାଲେଂଜ ରହିଛି । ଚନ୍ଦ୍ରଯାନ-୨ର ଅତିକ୍ରମ ସମୟରେ ଏହା ଅନ୍ୟାନ୍ୟ ମହାଜା‌ଗତିକ ପଦାର୍ଥ ଦ୍ବାରା ବାଧାର ସମ୍ମୁଖୀନ ହୋଇପାରେ । ସୌର ଚାପକୁ ବି ଏକ ଚ୍ୟାଲେଂଜ ଭାବେ ଗ୍ରହଣ କରାଯିବ । ଏହାପରେ ପୁଣି ଏକ ବଡ଼ ଚ୍ୟାଲେଂଜ ହେଉଛି ଡିପ୍‌ ସ୍ପେସ୍‌ କମ୍ୟୁନିକେସନ୍‌ ତଥା ଇସ୍ରୋ ଏବଂ ଚନ୍ଦ୍ରଯାନ-୨ ସହ ଯୋଗାଯୋଗ ବଜାୟ ରଖିବା କାର୍ଯ୍ୟ । ଚନ୍ଦ୍ରପୃଷ୍ଠକୁ ଯାତ୍ରା ସମୟ‌ରେ ଚନ୍ଦ୍ରଯାନ-୨କୁ ଏହାର ଗତିପଥ ପୃଥିବୀ ପୃଷ୍ଠରୁ ଚନ୍ଦ୍ରପୃଷ୍ଠକୁ ବଦଳାଇବାକୁ ପଡ଼ିବ । ଏହା ମଧ୍ୟ ଅନ୍ୟ ଏକ ଚ୍ୟ‌ାଲେଂଜ । ଅନ୍ୟ ଏକ ବାଧା ହେଉଛି ମୁନ୍‌ ଡଷ୍ଟ୍‌ । ସେହିପରି ତାପମାତ୍ରା ମଧ୍ୟ ଏକ ବଡ଼ ବାଧକ ସାଜିପାରେ ।