ପୋଲିସ ସେବା କ୍ଷେତ୍ରରେ ବିରଳ, ଲୋକ ଫେରି ପାଇଲେ ଲୁଟ୍ ସାମଗ୍ରୀ । ମାତ୍ର ୮ଦିନ ଭିତରେ ୮୦ ଲକ୍ଷ ଟଙ୍କାର ଲୁଟ୍ ସାମଗ୍ରୀ ଫେରାଇଲା ପୋଲିସ ।

42

କନକ ବ୍ୟୁରୋ : ପୋଲିସ ଫେରାଇଲା ଲୁଟ୍ ସାମଗ୍ରୀ । ଘରୁ ଚୋରି ହେବାର ମାତ୍ର ୮ ଦିନ ଭିତରେ ଲୋକେ ନିଜ ନିଜ ଜିନିଷ ଫେରିପାଇଛନ୍ତି । ଦୁଇ ଦିନ ତଳେ ସ୍ମାର୍ଟ ସିଟିର ସ୍ମାର୍ଟ ଚୋରକୁ ପୋଲିସ ଗିରଫ କରିଥିଲା । ତା ନିକଟରୁ ପ୍ରାୟ ୮୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଲାପଟପ୍, ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା । ଅଭିଯୋଗ ଆଧାରରେ ଆଜି ଲୋକଙ୍କ ଚୋରି ଜିନିଷ ଫେରାଇଛି କମିଶନରେଟ୍ ପୋଲିସ । ସାଧାରଣତଃ ଲୋକେ, ଚୋରି ଜିନିଷ ଏତେ ଶିଘ୍ର ଫେରିପାଇବାର ନଜିର ନାହିଁ । ହେଲେ ଏତେ କମ୍ ସମୟ ଭିତରେ ଲୋକଙ୍କୁ ନିଜ ଜିନିଷ ଫେରାଇ ପ୍ରଶଂସା ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ଚନ୍ଦ୍ରଶେଖରପୁର ପୋଲିସ ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୋଲିସର ରିକଭରି ରୁମରେ ଭିଡ । ସମସ୍ତେ ନିଜ ନିଜ ଜିନିଷ ଖୋଜିବାରେ ବ୍ୟସ୍ତ । କାହାର ସୁନା ଅଳଙ୍କାର ତ ଆଉ କାହାର ଲ୍ୟାପଟପ୍, ପର୍ସ ଓ ଦାମୀ ଜିନିଷ । ଘରୁ ହାତଘଂଟା, ଏଲଇଡି, ଚଷମା ଓ ଡ୍ରେସ ବି ଚୋରି ହୋଇଯାଇଥିଲା । ହେଲେ ଚୋରି ହେବାର ମାତ୍ର ୮ ଦିନ ଭିତରେ ନିଜ ନିଜ ଜିନିଷ ଫେରିପାଇଛନ୍ତି ସମସ୍ତେ । ଏତେ କମ୍ ଦିନ ମଧ୍ୟରେ ଜିନିଷ ଫେରିପାଇ ଲୋକଙ୍କ ଖୁସି କହିଲେ ନସରେ । ସାତ ଆଠ ଦିନ ତଳେ ଘରେ କଳାକନା ବୁଲାଇଦେଇଥିଲା ଚୋର । ସୁନା ଅଳଙ୍କାର, ଲାପଟପ୍, ଫୋନ୍ ଚୋରି ହୋଇଯାଇଥିଲା । ଆଶା ନଥିଲା ଆଉ ମିଳିବ ବୋଲି । ହେଲେ ଆଜି ଆଖି ଆଗରେ ଥିଲା ନିଜ ଜିନିଷ । ଅଭିଯୋଗ ପତ୍ର ସହ ପରିଚୟକୁ ମେଳ କରି ଲୋକଙ୍କୁ ନିଜ ନିଜ ଜିନିଷ ଫେରାଇଛି ପୋଲିସ । କୋର୍ଟରେ ଟିଆଇ ପରେଡ ପରେ ଚୋରି ସୁନା ଅଳଙ୍କାରକୁ ପୋଲିସ ଲୋକଙ୍କୁ ହସ୍ତାନ୍ତର କରିବ ।

ସ୍ମାର୍ଟ ସିଟିର ଏହି ସ୍ମାର୍ଟ ଚୋର ଚନ୍ଦ୍ରଶେଖରପୁର ଏବଂ ଇନଫୋସିଟି ଥାନା ଅଧିନରେ ୧୫ରୁ ଅଧିକ ଘରେ ପଶି କଳାକନା ବୁଲାଇଦେଇଥିଲା । ଲୁଟିନେଇଥିଲା ୮୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ । ହେଲେ ଦୁଇ ଦିନ ତଳେ ତାକୁ ପୋଲିସ ଗିରଫ କରିଥିଲା । ତାଠାରୁ ଲୁଟ୍ ସାମଗ୍ରୀ ଉଦ୍ଧାର କରାଯାଇ ଆଜି ଲୋକଙ୍କୁ ନିଜ ନିଜ ଜିନିଷ ଫେରାଯାଇଛି । ସେପଟେ ଚୋରି ହୋଇଯାଇଥିବା ଜିନିଷ ପୋଲିସଠାରୁ ମିଳିବା ନେଇ ଆଶା ହରାଇଥିବା ମାଲିକ, ଏଥିପାଇଁ ପୁଲିସକୁ ଧନ୍ୟବାଦ ଦେଇଛନ୍ତି  ।

ଦୀପକ ମିଶ୍ର, ଚନ୍ଦ୍ରଶେଖରପୁର ଥାନା ଆଇଆଇସି । ମାତ୍ର ୮ ଦିନ ଭିତରେ ଲୋକଙ୍କୁ ନିଜର ଗୁରୁତ୍ୱପୂଣ୍ଣ ଜିନିଷ ଫେରାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଅନେକ ସମୟରେ ଅଭିଯୁକ୍ତ ଧରାପଡେ ହେଲେ ଚୋରି ଜିନିଷ ମିଳେନି । ତେବେ ଆଜିର ଘଟଣା ଚୋରି ଯାଇଥିବା ଲୋକଙ୍କ ମନରେ ଆଶା ସଂଚାର କରିଛି । ଏବଂ ଆଶା କରାଯାଉଛି ଚନ୍ଦ୍ରଶେଖର ଥାନା ପୁଲିସ ଭଳି ଅନ୍ୟମାନେ ବି ଏଥିପ୍ରତି ଦାୟିତ୍ୱବାନ ହେବେ ।