କେନ୍ଦୁଝର ପାଇଁ ନୂଆ ମୁହଁ ଭରସା ! ସର୍ବକନିଷ୍ଠ ପ୍ରାର୍ଥୀ ଭାବେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଲୋକସଭା ଟିକେଟ ଦେଲେ ବିଜେଡ଼ି ସୁପ୍ରିମୋ

1,496

କନକ ବ୍ୟୁରୋ : ୨୦୧୯ ମହାସମର ପାଇଁ ରଣକ୍ଷେତ୍ର ପ୍ରସ୍ତୁତ । ମୁହାଁମୁହିଁ ମୁକାବିଲା ପାଇଁ ସବୁ ରାଜନୈତିକ ଦଳ ଗୁଡ଼ିକ କସରତ୍ ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ପ୍ରଚାର ମଇଦାନରେ ରଣହୁଙ୍କାର ଭରୁଛନ୍ତି ନେତା ଅନ୍ୟପଟେ ଆଜି ନିର୍ବାଚନୀ ଯୁଦ୍ଧ ପାଇଁ ସେନାବାହିନୀ ପ୍ରସ୍ତୁତ କରୁଛନ୍ତି ବିଜେଡ଼ି ସୁପ୍ରିମୋ । ଆଜି ୨ଟି ଲୋକସଭା ଏବଂ ୭ ବିଧାନସଭା ପାଇଁ ଘୋଷଣା କରିଛି ବିଜେଡ଼ି । ବାକି ରହିଲା ୩ ଟି ବିଧାନସଭା ଆସନ । ପୂର୍ବରୁ ୧୯ଟି ଲୋକସଭା ଓ ୧୩୭ ବିଧାନସଭା ଆସନ ପାଇଁ ପ୍ରର୍ଥୀ ଘୋଷଣା କରାଯାଇଥିବା ବେଳେ ଆଜିି ୨ ଲୋକସଭା ଏବଂ ୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ । କେନ୍ଦୁଝର ରଣକ୍ଷେତ୍ର ପାଇଁ ନୂଆ ମୁହଁକୁ ସୁଯୋଗ ଦେଇଛନ୍ତି ନବୀନ । ଚନ୍ଦ୍ରାଣୀ ମୁର୍ମୁଙ୍କୁ କେନ୍ଦୁଝର ଲୋକସଭା ଟିକେଟ୍ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ।

କେନ୍ଦୁଝର କନଫ୍ୟୁଜନରେ ଫୁଲଷ୍ଟପ୍ । ଅନେକ କଳ୍ପନା ଜଳ୍ପନା ପରେ କେନ୍ଦୁଝର ପାଇଁ ପରିଶେଷରେ ପ୍ରାର୍ଥୀ ଚୟନ ହୋଇଛି । କେନ୍ଦୁଝର ଲୋକସଭା ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସର୍ବକନିଷ୍ଠ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁୁ । ପୂର୍ବରୁ ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ଢେଙ୍କାନାଳ ଓ କେନ୍ଦୁଝର ପାଇଁ ବେଶ କିଛି ଦିନ ନିଷ୍ପତ୍ତିି ଝୁଲାଇ ରଖିଥିଲେ ବିଜେଡ଼ି ସୁପ୍ରିମୋ । ଅନେକ ଆଲୋଚନା, ଚର୍ଚ୍ଚା, ସମ୍ଭାବନା ଭିତରେ ଚନ୍ଦ୍ରାଣୀ ମୁର୍ମୁଙ୍କୁ କେନ୍ଦୁଝର ପାଇଁ ପ୍ରାର୍ଥୀ କରିଛି ବିଜେଡ଼ି । ଚଳିତ ନିର୍ବାଚନ ପାଇଁ ମହିଳାଙ୍କ ସହ ଯୁବଗୋଷ୍ଠୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ।

କେନ୍ଦୁଝର ରାଜନୀତିକୁ ମିଳିଲା ନୂଆ ତଥା ଯୁବ ଚେହେରା । ଚଳିତ ନିର୍ବାଚନ ପାଇଁ କେନ୍ଦୁଝରରେ ପ୍ରାର୍ଥୀ ବଦଳାଇଛି ବିଜେଡ଼ି । ଜଣେ ଯୁବନେତ୍ରୀଙ୍କୁ ସାମ୍ନାକୁ ଆଣିଛନ୍ତି ବିଜେଡ଼ି ବସ୍ । କେନ୍ଦୁଝର ସାଂସଦ ପ୍ରାର୍ଥୀ ଭାବେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବାଛିଲେ ବିଜେଡ଼ି ସୁପ୍ରିମୋ । ଚନ୍ଦ୍ରାଣୀ ମୁର୍ମୁ ରାଜନୀତି ପାଇଁ ନୂଆ ମୁହଁ ନୁହେଁ । ପୂର୍ବରୁ ସିଧାସଳଖ ଭାବେ ଜଡ଼ିତ ନଥିଲେ ମଧ୍ୟ ତାଙ୍କ ରକ୍ତରେ ରହିଛି ରାଜନୀତି । ପୂର୍ବତନ କେନ୍ଦୁଝର ସାଂସଦ ହରିହର ସୋରେନଙ୍କ ନାତୁଣୀ ଚନ୍ଦ୍ରାଣୀ । ଏବେ ଯୁବ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଚନ୍ଦ୍ରାଣୀ ।

ସୂଚନାଯୋଗ୍ୟ ୨୦୦୯ ଓ ୨୦୧୪ ନିର୍ବାଚନରେ କେନ୍ଦୁଝର ଲୋକସଭା ଆସନରୁ ବିଜେଡି ବିଜୟୀ ହୋଇଥିଲା । ୨୦୦୯ ରେ ଯଶୋବନ୍ତ ନାରାୟଣ ସି˚ ଲାଗୁରୀ ନିର୍ବାଚନ ଜିତିଥିଲେ । ସେହିଭଳି ୨୦୧୪ ରେ ଯଶୋବନ୍ତଙ୍କ ସ୍ତ୍ରୀ ଶକୁନ୍ତଳା ନାରାୟଣ ସି˚ ଲାଗୁରୀ ବିଜୟୀ ହୋଇଥିଲେ । ହେଲେ ଉଭୟେ ସାଧାରଣ ଲୋକଙ୍କ ସହ ସମନ୍ୱୟ ରଖିପାରିନଥିଲେ । ତେଣୁ ରିସ୍କ ନନେଇ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି ବିଜେଡ଼ି ସୁପ୍ରିମୋ ।