ଧନୀ କିଏ, ଗରିବ କିଏ ! ସାମ୍ନାକୁ ଆସିଲା ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ତାଲିକା, ଜାଣନ୍ତୁ କେଉଁ ସ୍ଥାନରେ କିଏ ରହିଛି ।

108

କନକ ବ୍ୟୁରୋ : ସାମ୍ନାକୁ ଆସିଛି ସାରା ଦେଶର ମୁଖ୍ୟମନ୍ତ୍ରୀ ମାନଙ୍କ ସଂପତି ତାଲିକା । ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ସତ୍ୟପାଠର ତଥ୍ୟ ଆଧାରରେ ଜଣା ପଡିଛି ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସୁବୁଠୁ ଧନି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସପ୍ତମ ଧନି ମୁଖ୍ୟମନ୍ତ୍ରୀ । ସେହିପରି ଇଲେକ୍ସନ ୱାଚ୍ ଓ ଆସୋସିଏସନ ଫର ଡେମେକ୍ରାଟିକ ରିଫର୍ମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ୧୧ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ଥିବା ପ୍ରକାଶ ପାଇଛି ।

ନବୀନ ପଟ୍ଟନାୟକ:
ସାରା ଦେଶରେ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ସପ୍ତମ । ନବୀନଙ୍କର ମୋଟ୍ ୧୨ କୋଟି ୬ଲକ୍ଷ ୩୭ହଜାର ୪୩୩ ଟଙ୍କାର ସମ୍ପତି ରହିଛି । ଯେଉଁଥିରେ ଅଛି ୧୭ ଲକ୍ଷ ୭୫ହଜାର ୪୩୩ ଟଙ୍କାର ସ୍ଥାବର ସମ୍ପତି । ସେହିପରି ନବୀନଙ୍କ ନାଁରେ କୌଣସି ମାମଲା ନଥିବା ରିପୋର୍ଟରେ କୁହାଯାଇଛି ।
ଚନ୍ଦ୍ରବାବୁ ନାଇଡୁ:
ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ନିର୍ବାଚନ ଲଢିବା ସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଦେଇଥିବା ସଂପତି ତାଲିକାରେ ମୋଟ ୧୭୭ କୋଟି ଟଙ୍କାର ସ୍ଥାବର, ଅସ୍ଥାବର ସଂପତି ଥିବା ଦର୍ଶାଇଛନ୍ତି । ସେହିପରି ତାଙ୍କ ବିରୋଧରେ କୌଣସି ସଂଗୀନ ଅପରାଧିକ ମାମଲା ନାହିଁ ।
ମାଣିକ ସରକାର
ଏଡିଆଇ ରିପୋର୍ଟ କହୁଛି ତ୍ରପୁରାରୁ ଚାରିଚାରି ଥର ମୁଖ୍ୟମନ୍ତ୍ରୀ ରହିଥିବା ମାଣିକ ସରକାର ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ । କାରଣ ତାଙ୍କ ନିକଟରେ ମୋଟ ୨୬ ଲକ୍ଷ ଟଙ୍କାର ସଂପତି ରହିଛି ।
ମମତା ବାନାର୍ଜୀ:
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗରିବ ମୁଖ୍ୟମନ୍ତ୍ରୀ ତାଲିକାରେ ଦ୍ୱିତୀୟ । ତାଙ୍କ ପାଖରେ ମୋଟ ୩୦ ଲକ୍ଷ ଟଙ୍କାର ସଂପତି ଥିବାବେଳେ ଏହା ଭିତରେ କୌଣସି ଅସ୍ଥାବର ସଂପତି ନାହିଁ । ଅର୍ଥାତ ଗାଡି, ସୁନା ଗହଣା କିମ୍ବା ବ୍ୟାଙ୍କ ଡିପୋଜିଟ ନାହିଁ । ଅତି ସାଦାସିଧା ବେଶଭୂଷାରେ ନଜର ଆସୁଥିବା ମମତା ବାନାର୍ଜୀଙ୍କର ବିଳାଶବ୍ୟସନରେ କୌଣସି ସୌକ ନଥିବା ଏଡିଆର ରିପୋର୍ଟ କହୁଛି ।
ପେମା ଖଣ୍ଡୁ:
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଦେଶର ଦ୍ୱିତୀୟ ଧନି ମୁଖ୍ୟମନ୍ତ୍ରୀ । ଚନ୍ଦ୍ରବାବୁ ନାଇଡୁଙ୍କ ପଛକୁ ରହିଛନ୍ତି ପେମା । ତାଙ୍କ ପାଖରେ ୧୨୯ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସଂପତି ଥିବା ସେ ନିର୍ବାଚନ ସତ୍ୟପାଠରେ ଦର୍ଶାଇଛନ୍ତି ।
କ୍ୟାପଟେନ ଅମରିନ୍ଦର ସିଂହ:
ପଞ୍ଜାବରେ କଂଗ୍ରେସ ସରକାରର ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସଂପତି ୪୮ କୋଟି । ଏବଂ ସେ ଦେଶର ତୃତୀୟ ଧନି ମୁଖ୍ୟମନ୍ତ୍ରୀ ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି । ତାଲିକାରେ ମୋଟ ୨୫ ଜଣ କୋଟିପତି ମୁଖ୍ୟମନ୍ତ୍ରୀ ଅଛନ୍ତି ।
ଦେବେନ୍ଦ୍ର ଫଡନାଭିସ:
ଦେଶର ୧୧ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଆଉ ଏହି ତାଲିକାର ଶୀର୍ଷର୍ରେ ଅଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । କାରଣ ତାଙ୍କ ନାଁରେ ରହିଛି ମୋଟ୍ ୨୨ଟି ଅପରାଧ ମାମଲା । ଯାହା ଭିତରେ ହତ୍ୟା, ହତ୍ୟା ଉଦ୍ୟମ ଓ ରାଜନୈତିକ ହିଂସା ଭଳି ୩ଟିି ଜଘନ୍ୟ ଅପରାଧ ମାମଲା ।
ମେହବୁବା ମୁଫତି :
ମୋଟ ୫୫ ଲକ୍ଷ ଟଙ୍କାର ସଂପତି ସହ ଦେଶର ତୃତୀୟ ଗରିବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ତାଙ୍କ ବିରୋଧରେ ମଧ୍ୟ କୌଣସି ସାଂଘାତିକ ଅପରାଧିକ ମାମଲା ନଥିବା ଏଡିଆର ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
ଏଡିଆର ରିପୋର୍ଟ
ଆଠଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଜଘନ୍ୟ ଅପରାଧିକ ମାମଲା ଥିବା ରିପୋର୍ଟରେ କୁହାଯାଇଛି । ୨୦ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ କୌଣସି ମାମଲା ନାହିଁ । ଏମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଦେଶର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ । ତାଙ୍କର ବୟସ ୩୫ ବର୍ଷ ବୋଲି ଜଣାପଡିଛି ।