କେନ୍ଦ୍ର ବିରୋଧରେ ଆନ୍ଧ୍ରର ବିଦ୍ରୋହ ! ଓଡିଶା, ପଶ୍ଚିମବଙ୍ଗରେ ପଡିବ ପ୍ରଭାବ?

ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଆନ୍ଧ୍ରରେ ପଶିପାରିବନି ସିବିଆଇ

132

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ଆନ୍ଧ୍ରପ୍ରଦେଶରେ ସିବିଆଇକୁ ବ୍ୟାନ କରିଛନ୍ତି ଚନ୍ଦ୍ରବାବୁ । ଏଣିକି ଆନ୍ଧ୍ର ସରକାରଙ୍କ ଅନୁମତି ବିନା ରାଜ୍ୟରେ ପଶିିପାରିବ ନାହିଁ ସିବିଆଇ । ଏ ନେଇ ଥିବା ‘ଜେନେରାଲ କନସେଂଟ’କୁ ପ୍ରତ୍ୟାହାର କରିନେଇଛି ଆନ୍ଧ୍ର । ସିବିଆଇକୁ ଆୟୁଧ କରି ଅଣବିଜେପି ଶାସିତ ରାଜ୍ୟ ଉପରେ କେନ୍ଦ୍ର ସରକାର ଦାଉ ସାଧୁଥିବା ଅଭିଯୋଗ ହେଉଥିଲା । ଏବେ ଚନ୍ଦ୍ରବାବୁଙ୍କ ଚରମ ପଦକ୍ଷେପ ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ କେଉଁ ଆଭିମୁଖ୍ୟ ଗ୍ରହଣ କରିବେ, ତା’ ଉପରେ ସମସ୍ତଙ୍କ ନଜର ।

 

କିଛିଦିନ ହେଲା ମୋଦି ବିରୋଧୀଙ୍କୁ ଏକାଠି କରିବାର ନେତୃତ୍ୱ ନେଉଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଚରମ ପଦକ୍ଷେପ । ଏଣିକି ଆନ୍ଧ୍ର ସରକାରଙ୍କ ଅନୁମତି ବିନା ରାଜ୍ୟରେ କୌଣସି ସ୍ଥାନରେ ରେଡ୍ କିମ୍ବା ଛାନଭିନ୍ କରିପାରିବ ନାହିଁ ସେଂଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ୍-ସିବିଆଇ । ଏ ସଂପର୍କିତ ‘ଜେନେରାଲ କନସେଂଟ’କୁ ପ୍ରତ୍ୟାହାର କରିନେଇଛନ୍ତି ଆନ୍ଧ୍ର ସରକାର । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତି । ଉଲ୍ଲେଖ ରହିଛି ଯେ, ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଂଟ ଆକ୍ଟ-୧୯୪୬ର ସେକ୍ସନ-୬ ରେ ଦିଆଯାଇଥିବା କ୍ଷମତା ସଂପର୍କିତ ଜେନେରାଲ କନସେଂଟ୍ ଆକର୍ଡକୁ ପ୍ରତ୍ୟାହାର କରାଯାଉଛି । ନଭେମ୍ବର ୮ ତାରିଖରେ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଫଳରେ ଆନ୍ଧ୍ରର ଅନୁମତି ବିନା ରାଜ୍ୟରେ ପାଦ ରଖିପାରିବନି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

କେନ୍ଦ୍ରରେ ମୋଦି ସରକାରଙ୍କ ବିରୋଧରେ ରାଜନୈତିକ ଲଢେଇର ଯେଉଁ ନୂଆ ତରିକା ସାମ୍ନାକୁ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁ ତାର ଓଡିଶା ଏବଂ ପଶ୍ଚିମବଙ୍ଗରେ କି ପ୍ରଭାବ ରହିବ ତାକୁନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

– ଓଡିଶା ଓ ପଶ୍ଚିମବଙ୍ଗରେ ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ କରୁଛି ସିବିଆଇ

– ଶାସକ ଦଳର ନେତା ଓ ବିଧାୟକଙ୍କୁ ବାନ୍ଧିଛି କେନ୍ଦ୍ରୀୟ ତଦନ୍ତ ସଂସ୍ଥା

– ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନରେ ବଜେପି କର୍ମୀଙ୍କ ମୃତ୍ୟୁର ଯାଂଚ ଚାହୁଁଛି

– ଓଡିଶାରେ ମଧ୍ୟ ବ୍ଲାକରୋଜ ବୁଡି ମାମଲାର ଛାନଭିନ କରୁଛି ସିବିଆଇ

କେନ୍ଦ୍ରରେ ମୋଦି ସରକାରଙ୍କ ଇଙ୍ଗିତରେ ସିବିଆଇ କାମ କରୁଥିବା ନେଇ ଅଭିଯୋଗ କରିଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟରେ ବିଜେଡି ସରକାର ମଧ୍ୟ ସମାନ ଅଭିଯୋଗରେ ବିଜେପିକୁ ଘେରିଛନ୍ତି । ତେଣୁ ବିଜେପିର ବଡ ରାଜନୈତିକ ପ୍ରତିଦ୍ୱନ୍ଦି ଭାବେ ଏମାନେ ମଧ୍ୟ ଆନ୍ଧ୍ର ରାସ୍ତାରେ ଚାଲିବାର ସମ୍ଭାବନା ବଢିଯାଇଛି ।

୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଅଣବିଜେପି ରାଜ୍ୟଗୁଡିକ ବିରୋଧରେ ସିବିଆଇକୁ ବଡ ଅସ୍ତ୍ର ଭାବରେ ବ୍ୟବହାର କରିଆସୁଥିବା ନେଇ ଅଭିଯୋଗ ରହିଛି । ବିଜେପି ତାର ବିସ୍ତାର ଲାଗି ରାଜନୈତିକ ପ୍ରତିପକ୍ଷଙ୍କୁ ମିଛ ମାମଲାରେ ଫଶାଇ ଧରାଶାୟୀ କରିବାର ରଣନୀତି କରୁଥିବା ଅଭିଯୋଗ ବି ହେଉଛି । ଆଗକୁ ୨୦୧୯ ସାଧାରଣ ନିର୍ବାଚନ ଥିବାରୁ ବିଜେପି ଓ ମୋଦିଙ୍କୁ କାଉଂଟର କରିବାକୁ ସିବିଆଇର କାର୍ଯ୍ୟଧାରାରେ କଟକଣା ଲଗାଇବା ରାଜନୈତିକ ପ୍ରତିପକ୍ଷଙ୍କ ପାଇଁ ବଡ ଅସ୍ତ୍ର ଭାବେ ସାମ୍ନାକୁ ଆସିଛି ।

Comments are closed.