କନକ ବ୍ୟୁରୋ : ହାତ ଛାଡି ଶଙ୍ଖ ଧରିଲେ । ଦୀର୍ଘ ୪୦ ବର୍ଷ କଂଗ୍ରେସ ସହ ଥିବା ସର୍ମ୍ପକକୁ ଛିନ୍ନ କରି ବିଜେଡ଼ିରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଦସ୍ୟତା ରସିଦ ଦେଇ ଚନ୍ଦ୍ରଶେଖରଙ୍କୁ ବିଜେଡ଼ିରେ ସାମିଲ କରିଛନ୍ତି । ଏହି ଅବସରରେ ଚନ୍ଦ୍ରଶେଖର କହିଛନ୍ତି, ଦଳରେ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି। ନବୀନଙ୍କ ବିକାଶ ଧାରା ମୋତେ ବିଜେଡ଼ିରେ ସାମିଲ ହେବାକୁ ପ୍ରେରଣା ଯୋଗାଇଛି। ନବୀନ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇ ପାରଇଛନ୍ତି। ତାଙ୍କ ନେତୃତ୍ୱରେ ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି। ଚନ୍ଦ୍ରଶେଖର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ମନେ ପକାଇଛନ୍ତି। ଚନ୍ଦ୍ରଶେଖରଙ୍କ ଦଳରେ ମିଶିବା ପରେ ନବୀନ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବ୍ରହ୍ମପୁରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହଜାର ହଜାର ସମର୍ଥକଙ୍କ ସହିତ ବିଜେଡ଼ିରେ ଯୋଗ ଦେଇଛନ୍ତି। ଚନ୍ଦ୍ରଶେଖର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦଳୀୟ ସଦସ୍ୟତା ରସିଦ ଗ୍ରହଣ କରିଛନ୍ତି। ଚନ୍ଦ୍ରଶେଖରଙ୍କ ବ୍ୟତୀତ ମିଶ୍ରଣ ପର୍ବରେ ପୂର୍ବତନ ପିସିସି ସାଧାରଣ ସଂପାଦକ ବକ୍ରମ ପଣ୍ଡା ଓ ପୂର୍ବତନ ଜିଲ୍ଲା ସଭାପତି ଭଗବାନ ଗନ୍ତାୟତ ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି। ଏଥି ସହିତ ବ୍ରହ୍ମପୁର ମହାନଗର ନିଗମର ସମସ୍ତ କଂଗ୍ରେସ କର୍ପୋରେଟର ବିଜେଡ଼ିରେ ଯୋଗ ଦେଇଛନ୍ତି।
ଏଠାରେ ସୁଚନାଯେଗ୍ୟ ଯେ, ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସରେ ରହି ଆସିଥିବା ଚନ୍ଦ୍ରଶେଖର ସାହୁ ଜଣେ ଦୃଢ ସଙ୍ଗଠକ ଭାବେ ଜଣାଶୁଣା । ୟୁପିଏ ସରକାର ଅମଳରେ ୪ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଥିଲେ ଚନ୍ଦ୍ରଶେଖର । ମିଳିଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ଦକ୍ଷିଣ ଓଡିଶାର ଜଣେ ଟାଣୁଆ ନେତା ଓ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଚନ୍ଦ୍ରଶେଖର ସାହୁ । ଦୁଇ ଦୁଇ ଥରର ବ୍ରହ୍ମପୁର ମ୍ୟୁନିସିପାଲିଟି ଚେୟାରମ୍ୟାନ୍ । ଦଳ ଛାଡିବାକୁ ନିଷ୍ପତି ନେବା ପରେ ଚନ୍ଦ୍ରଶେଖର ସାହୁ ଖୋଲାଖୋଲି କଂଗ୍ରେସର କାର୍ୟ୍ୟଶୈଳୀ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଚନ୍ଦ୍ରଶେଖରଙ୍କ ଭଳି ହେଭିୱେଟ ନେତା ଦଳ ଛାଡିବା ପରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି ।