ଆସନ୍ତା ୧୭ରେ ଚନ୍ଦ୍ରଗ୍ରହଣ । ସର୍ବାଧିକ ୬୫% ଆଚ୍ଛାଦିତ ହେବ ଚନ୍ଦ୍ର, ମଧ୍ୟରାତ୍ରିରୁ ଖାଲି ଆଖିରେ ଦେଖି ହେବ ଏହି ମହାଜାଗତିକ ଦୃଶ୍ୟ ।

848

କନକ ବ୍ୟୁରୋ : ଆସନ୍ତା ୧୭ ତାରିଖ ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ହେବ ବୋଲି ଜଣାପଡ଼ିଛି । ମଧ୍ୟରାତ୍ର ୧ଟା ୩୧ରୁ ଭୋର ୪ଟା ୨୯ ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା କାଳ ଏହି ଗ୍ରହଣ ଲାଗିବ । ଆକାଶ ଯଦି ମେଘମୁକ୍ତ ରହେ ତେବେ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ । ରାତି ୩ଟାରେ ଚନ୍ଦ୍ର ସର୍ବାଧିକ ୬୫% ଆଚ୍ଛାଦିତ ହୋଇ ରହିବ ।

ସୂଚନା ଅନୁସାରେ ଏହି ଚନ୍ଦ୍ରଗ୍ରହଣ ବିଶେଷ କରି ଭାରତ ସମେତ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଆଦି ମହାଦେଶରେ ଦୃଶ୍ୟମାନ ହେବ । ୧୭ ତାରିଖ ମଧ୍ୟରାତ୍ର ୧୨ଟା ୧୩ ମିନିଟ୍‌ରୁ ଆଂଶିକ ଗ୍ରହଣ ଆରମ୍ଭ ହେବ । ଏହି ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ । ମାତ୍ର ଏହାକୁ ଖାଲି ଆଖିରେ ଦେଖି ହେବନାହିଁ । ରାତ୍ରି ୧ଟା ୩୧ରୁ ଭୋର ୪ଟା ୨୯ ସମୟରେ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିହେବ ।

ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହନ୍ତି, ଚନ୍ଦ୍ର ପୃଥିବୀ ଚାରିପଟେ ଓ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଥାନ୍ତି । ଏହି ଭଳି ବୁଲୁଥିବା ବେଳେ ଏହି ତିନିଟି ବେଳେବେଳେ ଏକ ସରଳ ରେଖାରେ ଆସିଯା’ନ୍ତି । ଏହି ସମୟରେ ହିଁ ଗ୍ରହଣ ବା ପରାଗ ସଂଘଟିତ ହୁଏ । ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ରହିଥାଏ । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ ଓ ଛାଇ ପଡ଼ିଥିବା ସ୍ଥାନରେ ଚନ୍ଦ୍ର ଦେଖିଯାଏ ନାହିଁ । ଯାହାକୁ ଚନ୍ଦ୍ର ଗ୍ରହଣ କୁହାଯାଏ । ପରାଗ ହେଉ ବା ଗ୍ରହଣ ଏହା ଏକ ସାଧାରଣ ମହାଜାଗତିକ ଘଟଣା । ଏହାର କୌଣସି ପ୍ରଭାବ ପୃଥିବୀ ଉପରେ କିମ୍ବା ଆମ ଉପରେ ପଡ଼େ ନାହିଁ । ଏଣୁ ଏହି ମହାଜାଗତିକ ଦୃଶ୍ୟକୁ ସମସ୍ତେ ଘରେ ବସି ଆକାଶକୁ ଦେଖି ଉପଭୋଗ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଭୁବନେଶ୍ବରର ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ଓ ବୁର୍ଲାର ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍‌ ପକ୍ଷରୁ ଜନସାଧାରଣଙ୍କୁ ଏହି ଦୃଶ୍ୟ ଉପଭୋଗ କରିବାକୁ ଅନୁରୋଧ କରାଯାଇଛି । ଅପରପକ୍ଷରେ ଚନ୍ଦ୍ରଗ୍ରହଣ ପାଇଁ ୧୬ତାରିଖ ଅପରାହ୍‌ଣ ୪ଟା ୩୧ ମିନିଟ୍‌ରୁ ୧୭ ତାରିଖ ଭୋର୍‌ ସାଢ଼େ ୪ଟା ପର୍ଯ୍ୟନ୍ତ (୧୨ ଘଣ୍ଟା) ପାକ ନିଷେଧ ରହିବ ଏବଂ ଏହି ସମୟରେ ଦେବନୀତି ମଧ୍ୟ ବନ୍ଦ ରହିବ ।