ତୃତୀୟ ସାମ୍ମୁଖ୍ୟ ପାଇଁ ନବନୀଙ୍କୁ ଖୋଜା? ନବୀନଙ୍କୁ ଫୋନ୍ କଲେ ନାଇଡୁ

ନବୀନଙ୍କ ସହ କଥା ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ସର୍ବଦଳୀୟ ବୈଠକରେ ଯୋଗ ଦେବା ପାଇଁ କଲେ ନିମନ୍ତ୍ରଣ

257

କନକ ବ୍ୟୁରୋ : ପୁଣି ଜୋର ଧରିଲା ତୃତୀୟ ସାମ୍ମୁଖ୍ୟ ପାଇଁ ପ୍ରୟାସ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଆସନ୍ତା ୨୨ ତାରିଖରେ ସର୍ବଦଳୀୟ ବୈଠକ ପାଇଁ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ନାଇଡୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଫୋନ୍ କରି ମୋଦି ବିରୋଧୀ ମେଂଟରେ ସାମିଲ ହେବା ପାଇଁ ଦେଲେ ଆହ୍ୱାନ । ବିଜେପିର ବିଜୟଧାରାରେ ବ୍ରେକ ଲଗାଇବାକୁ ମୋଦି ବିରୋଧୀଙ୍କୁ ଏକାଠି କରିବାର ନେତୃତ୍ୱ ନେଉଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଆଉ କେନ୍ଦ୍ରୀୟ ଅବହେଳାର କଥା ଉଠାଇ ବାରମ୍ବାର ବିଜେପି ଓ ମୋଦିଙ୍କୁ ଟାର୍ଗେଟ କରିଆସୁଥିବା ନବୀନଙ୍କ ସମର୍ଥନ ଆଶା କରି ତାଙ୍କ ସହ କଥା ହୋଇଛନ୍ତି ଟିଡିପି ମୁଖ୍ୟ । ଆଗାମୀ ୨୨ ତାରିଖରେ ସର୍ବଦଳୀୟ ବୈଠକରେ ସାମିଲ ହେବାପାଇଁ ଦିଲ୍ଲୀ ଆମନ୍ତ୍ରଣ କରିଛନ୍ତି ।

କିଛିଦିନ ତଳେ ବିଜେଡି କାର୍ଯ୍ୟକର୍ତାଙ୍କୁ ସମ୍ବୋଧିତ କରି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ବିଜେପିର ଦୋମୁହାଁ ନୀତିକୁ ଜୋରଦାର ସମାଲୋଚନା କରିଥିଲେ ନବୀନ । ସେପଟେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଏନଡିଏଠାରୁ ଅଲଗା ହୋଇ ବିରୋଧୀ ଶିବିରରେ ସାମିଲ ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ଦୁଇଟି ରାଜ୍ୟର ସମାନ ଦାବି ଓ ସମାନ ଶତ୍ରୁ ହୋଇଥିବାରୁ ଲଢେଇ ପାଇଁ ଏକାଠି ହେବାର ଯଥେଷ୍ଟ ମୌକା ରହିଛି । ହେଲେ ଏନଡିଏଠାରୁ ଅଲଗା ହୋଇଥିବା ଟିଡିପି ଏହାରି ଭିତରେ କଂଗ୍ରେସର ନିକଟତର ହେଉଛି । ଯାହା ନବୀନଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । କାରଣ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରିଆସୁଛନ୍ତି ବିଜେଡି ସୁପ୍ରିମୋ ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ପୁଣି ମୋଦି ବିରୋଧୀ ଶକ୍ତିଙ୍କୁ ଏକାଠି କରିବା ଅଭିଯାନରେ ବାହାରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଗୋଟିଏ ସପ୍ତାହରେ ଦୁଇ ଦୁଇଥର ଦିଲ୍ଲୀ ଗସ୍ତ କରି କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ଏକାଧିକ ବିରୋଧୀ ନେତାଙ୍କୁ ଭେଟିଛନ୍ତି । ଏନସିପି ନେତା ଶରଦ ପାୱାର ଓ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦ୍ଦୁଲାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ଟିଡିପି ମୁଖ୍ୟ । ଅକ୍ଟୋବର ୨୭ ତାରିଖରେ ମଧ୍ୟ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀରେ ବିଏସପି ସୁପ୍ରିମୋ ମାୟାବତୀ, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଓ ଆମ ଆଦମି ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନ୍ୟ ନେତାମାନଙ୍କୁ ଭେଟି ବିଜେପି ବିରୋଧୀ ମହାଗଠବନ୍ଧନ ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ ।

Comments are closed.