ସରକାରୀ ବଂଟନ ବ୍ୟବସ୍ଥାକୁ ଫୁ ! ଚାନ୍ଦବାଲିରେ ଯୋଗାଣ ସାମଗ୍ରୀ ବଦଳରେ ଲୋକଙ୍କୁ ଦିଆଗଲା ଟଙ୍କା

37

କନକ ବ୍ୟୁରୋ: ଗରିବ ଲୋକଙ୍କୁ କମ୍ ଟଙ୍କାରେ ଚାଉଳ ଓ ଗହମ ବାଂଟୁଛନ୍ତି ରାଜ୍ୟ ସରକାର । କିନ୍ତୁ ଦିନ ଦ୍ୱିପ୍ରହରରେ ସରକାରୀ ବଂଟନ ବ୍ୟବସ୍ଥାକୁ ଫୁ କରିଦେଉଛନ୍ତି ଯୋଗାଣ କର୍ମଚାରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଖାଉଟି ସାମଗ୍ରୀ ବଦଳରେ ଲୋକଙ୍କୁ ବଂଟା ଯାଉଛି ଟଙ୍କା । ଚଳିତ ଜୁଲାଇ ଓ ଅଗଷ୍ଟ ମାସ ମିଶାଇ ମୋଟ ୨ମାସର ଖାଉଟି ସାମଗ୍ରୀ ଯୋଗାଇ ଦେବାପାଇଁ ଘୋଷଣା କରିଛନ୍ତି ସରକାର । କିନ୍ତୁ ଚାନ୍ଦବାଲି ବ୍ଳକ୍ ନଳଗୋହୀରା ପଂଚାୟତରେ ଏଥିରେ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି ।

ଲୋକମାନଙ୍କୁ ଏସମ୍ପର୍କରେ ଅବଗତ କରାଯାଇ ନ ଥିବାବେଳେ ଗୋଟିଏ ମାସର ଖାଉଟି ସାମଗ୍ରୀ ପଂଚାୟତ ତରଫରୁ ବଂଟନ କରାଯାଉଥିବା ବେଳେ ଆଉ ଗୋଟିଏ ମାସର ସାମଗ୍ରୀ ବଦଳରେ କିଲୋପ୍ରତି ୧୩ଟଙ୍କା ହିସାବରେ ବଂଟନ କରାଯାଉଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।

ଏସମ୍ପର୍କରେ ନଳଗୋହୀରା ଖାଉଟି ବଂଟନ ଦାୟୀତ୍ୱରେ ଥିବା ସରପଂଚ ଆଶୁତୋଷ ଭୋଇଙ୍କୁ ପଚାରବାରେ ସେ କହିଛନ୍ତି ଖାଉଟି ସାମଗ୍ରୀ ଗୋଟିଏ ମାସରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବାବେଳେ ଗହମ ଆସିନାହିଁ । ୨ମାସର ସାମଗ୍ରୀ କେଉଁଠୁ ଆସିବ ଏନେଇ ଯେଉଁ ହିତାଧିକାରୀ କହୁଛନ୍ତି ଆମେ ତାଙ୍କୁ କିଲୋପ୍ରତି ୧୫ଟଙ୍କା ହିସାବରେ ଟଙ୍କା ଦେଇଦେଉଛୁ । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯୋଗାଣ ବିଭାଗ ଗୋଟିଏ କଥା କହୁଥିବାବେଳେ ପଂଚାୟତରେ ସରପଂଚ କେମିିତି ଆଉ ଗୋଟେ କଥା କହୁଛନ୍ତି ।

ଅନ୍ୟପଟେ, ଏସମ୍ପର୍କରେ ଭଦ୍ରକ ଯୋଗାଣ ବିଭାଗ ଅଧିକାରୀ ରାଜେନ୍ଦ୍ର କୁମାର ସାହୁଙ୍କୁ ଯୋଗାଯୋଗ କରିବା ପରେ ସେ କହିଛନ୍ତି ଯେ, ସରକାରଙ୍କ ତରଫରୁ ଜୁଲାଇ ଓ ଅଗଷ୍ଟ ୨ମାସର ଖାଉଟି ସାମଗ୍ରୀ ସମସ୍ତ ହିତାଧିକାରୀଙ୍କୁ ଚଳିତ ଜୁଲାଇ ମାସରେ ଦିଆଯିବା ପାଇଁ କୁହାଯାଇଛି । ଯେଉଁ ଅଭିଯୋଗ ଆସିଛି ତା’ର ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।