ପିଶାଚ ପ୍ରେମିକର ସଇତାନ କାମ: ପ୍ରେମିକାର ମୁଣ୍ଡ ଗଣ୍ଡି ଅଲଗା କରିବା ପୂର୍ବରୁ କରିଥିଲା ବଳାତ୍କାର, ପୁଲିସ ନିକଟରେ ସତ ମାନିଲା ଅଭିଯୁକ୍ତ

୨ ଦିନ ତଳେ ଚନ୍ଦକାରୁ ଉଦ୍ଧାର ହୋଇଥିଲା ମୃତଦେହ

499

କନକ ବ୍ୟୁରୋ: ପିଶାଚ ପ୍ରେମିକର ସଇତାନ କାମ ।  ପ୍ରେମିକାର ମୁଣ୍ଡ ଗଣ୍ଡି ଅଲଗା କରିବା ପୂର୍ବରୁ ବଳାତ୍କାର କରିଥିବା ସ୍ୱାକାର କରିଛି ଅଭିଯୁକ୍ତ ପ୍ରେମିକ । ଅଭିଯୁକ୍ତ ଯୁଧିଷ୍ଠର ସ୍ୱାଇଁକୁ ପଚରାଉଚରା ବେଳେ ସେ ସତ ମାନିଛି । ଏପରିକି ଅଭିଯୁକ୍ତ ଘର ପଛପଟୁ ଏକ ଗଛ ନିକଟରୁ ସ୍କୁଲ ବ୍ୟାଗ ଓ ଡ୍ରେସ ମିଳିଛି । ଅଭିଯୁକ୍ତର ବାଇକକୁ ମଧ୍ୟ ଜଣକ ଘରୁ ପୁଲିସ ଜବତ କରିିଛି । ଗତ ୨ ଦିନ ତଳେ  ଚନ୍ଦକା ଜଙ୍ଗଲରୁ ଯୁବତୀଙ୍କ ମୁଣ୍ଡକଟା ମୃତଦେହ ଉଦ୍ଧାର ହୋଇଥିଲା ।

ପୁରୀ ଜିଲ୍ଲା ସତ୍ୟବାଦୀ ପୁଲିସ ଓ ଖଣ୍ଡଗିରି ଥାନା ପୁଲିସ ଏହି ମୃତଦେହକୁ ଜବତ କରିଥିଲେ । ଯୁବତୀଙ୍କ ନିଖୋଜ ନେଇ ଗତ ୧୩ ତାରିଖରେ ସତ୍ୟବାଦୀ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଖୋଳତାଡ କରି ଯୁବତୀଙ୍କୁ ନେଇ ଫେରାର ହୋଇଥିବା ଯୁଧିଷ୍ଟୀର ସ୍ୱାଇଁକୁ ଗିରଫ କରିଥିଲା । ଆଉ ଜେରା ବେଳେ ସସ୍ମିତାକୁ ହତ୍ୟା କରିଥିବା ପୁଲିସ ଆଗରେ ମାନିଥିଲା ଯୁଧିଷ୍ଟିର ।

ସତ୍ୟବାଦୀରେ ପ୍ରେମ, ଭୁବନେଶ୍ୱରରେ ହତ୍ୟା । ଏହି ଘଟଣା ଯେତିକି ହୃଦୟବିଦାରକ ସେତିକି ଚାଂଚଲ୍ୟକର । ଅଭାଗିନୀ ସସ୍ମିତା ଏପରି ଜଣେ ସଇତାନକୁ ପ୍ରେମ କରୁଥିଲା, ଯାହାକୁ ବିବାହ କରି ଘର ସଂସାର କରିବାକୁ ଚାହୁଁଥିଲା, ସେହି ପ୍ରେମିକ ନେଇଯାଇଛି ତା’ର ଜୀବନ । ଗତ ୧୩ ତାରିଖରୁ ସସ୍ମିତାଂକୁ ଘରୁ ନେଇଯାଇଥିଲା ଅଭିଯୁକ୍ତ ଯୁଧିଷ୍ଠିର । ପ୍ରେମିକ ସହିତ ଘର ସଂସାର କରିବାକୁ ସ୍ୱପ୍ନ ଦେଖୁଥିଲା ସସ୍ମିତା । ହେଲେ ବାହା ହେବା ପାଇଁ ଜିଦ୍ କରୁଥିବାରୁ ତାକୁ ରାସ୍ତାରୁ ହଟାଇବାକୁ ପୂରା ଯୋଜନା ବନାଇ ସାରିଥିଲା ଅଭିଯୁକ୍ତ ।

ପରିବାର ଲୋକଙ୍କ ଅଭିଯୋଗ ପାଇବା ପରେ ତନାଘନା ଆରମ୍ଭ କରିଥିଲା ପୋଲିସ । ଅଭିଯୁକ୍ତ ଯୁଧିଷ୍ଠିରର ମାଆଙ୍କୁ ପଚରାଉଚରା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲା ଯୁଧିଷ୍ଠିର । ଆଉ ବଖାଣିଥିଲା ଅପରାଧର ଟିକିନିକି କାହାଣୀ । ପୋଲିସକୁ ନିଜେ ଅପରାଧର ଡେମୋ ଦେଖାଇଛି ଅଭିଯୁକ୍ତ ।