ରାଜନୀତିର ଛକାପଂଝା ଭିତରେ ଫସି ଯାଇଛି ବାଂଶଡା ସେତୁ : ୨୦ ଥର ଟେଣ୍ଡର ପରେ ଅଧାରେ ଅଟକିଛି ନିର୍ମାଣ କାର୍ଯ୍ୟ

45

କନକ ବ୍ୟୁରୋ : ରାଜନୀତିର ଛକାପଂଝା ଭିତରେ ଫସି ଯାଇଛି ବାଂଶଡା ସେତୁ । ୨୦ ଥର ଟେଣ୍ଡର ପରେ ଅଧାରୁ ଅଟକିଛି ନିର୍ମାଣ କାର୍ଯ୍ୟ । ଧାମରା ବନ୍ଦରକୁ ଯିବାକୁ ମୁଖ୍ୟ ରାସ୍ତା ପାଇଁ ଚାନ୍ଦବାଲି ମନ୍ତେଇ ନଦୀ ଉପରେ ସେତୁ ଏବେ ଅଧାଗଢ଼ା ଅବସ୍ଥାରେ । କୁହାଯାଉଛି ଅନ୍ତର୍ଦ୍ଦେଶୀୟ ଜଳପଥ ପକ୍ଷରୁ ସେତୁର ଡିଜାଇନ ଉପରେ ରୋକ୍ ଲଗାଯିବାରୁ ସେତୁ କାର୍ଯ୍ୟ ଅଟକି ରହିଛି । ହେଲେ ଏହା ପଛରେ ରାଜନୈତିକ ଷଡଯନ୍ତ୍ର ଥିବା ମଧ୍ୟ ଅଭିଯୋଗ ହୋଇଛି ।

ମନ୍ତେଇ ନଦୀର ଅଥଳ ପାଣିରେ ଠିକାଦାରମାନେ କାର୍ଯ୍ୟ କରିବାକୁ ରାଜି ନହେବାରୁ ଟର୍ଣ୍ଣ-କି ପଦ୍ଧତିରେ ଦିଆଯାଇଛି ଟେଣ୍ଡର । ଚାନ୍ଦବାଲି ଆଉ ଧାମରାକୁ ସଂଯୋଗ ପାଇଁ ଏହି ସେତୁ ନିର୍ମାଣ ଯଥେଷ୍ଟ ଗୁରୁତ୍ୱ ବହନ କରୁଥିଲେ ବି ଅଧାରୁ ବନ୍ଦ ରହିଛି ସେତୁ ନିର୍ମାଣ । ଆଉ ଏହା ପଛରେ ରାଜନୈତିକ ଚକ୍ରାନ୍ତର ଗନ୍ଧ ବାରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପୂର୍ତ୍ତବିଭାଗ ପକ୍ଷରୁ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ଏହି ସେତୁର ନିର୍ମାଣ ଦାୟିତ୍ୱ ନେଇଛି ହରିୟାନାର ଏସପି ସିଙ୍ଗଲା କଂପାନୀ । ହେଲେ ୨୦୧୪ରୁ ଆରମ୍ଭ ହୋଇଥିବା ସେତୁର ଗୋଟିଏ ପିଲାର ଭୁଷୁଡ଼ି ପଡ଼ିବା ପରେ ବନ୍ଦ ରହିଛି ନିର୍ମାଣ କାର୍ଯ୍ୟ । ୨୦୧୬ରେ ନିର୍ମାଣ ଶେଷ ହେବାକୁ ଥିବା ବେଳେ ଗୋଟିଏ ବର୍ଷ ବିତି ଯାଇଛି । କିନ୍ତୁ ଶତକଡା ୧୦ ଭାଗ ମଧ୍ୟ ଆଗେଇ ନାହିଁ ସେତୁ ନିର୍ମାଣ କାର୍ଯ୍ୟ । ଏ ସଂପର୍କରେ ସ୍ଥାନୀୟ ବିଧାୟକଙ୍କ କହିବା କଥା ହେଲା ମନ୍ତେଇ ନଦୀରେ ଜାହାଜ ଚଳାଚଳ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର । ତେଣୁ ଏହା ଉପରେ ସେତୁ ନିର୍ମାଣ ନକରିବାକୁ ତାଗିଦ୍ କରିଛି କେନ୍ଦ୍ର ।

ସେପଟେ ବାଂଶଡା ସେତୁ ନିର୍ମାଣ ସମସ୍ୟା ପଛରେ ବିଜେଡି ନେତାଙ୍କ ହାତ ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସ୍ଥାନୀୟ କଂଗ୍ରେସ ନେତା । ତେବେ ରାଜନୈତିକ ଛକାପଂଝା ଭିତରେ ଜନସାଧାରଣଙ୍କ ସ୍ୱାର୍ଥ ଯେ ବଳି ପଡୁଛି ଏଥିରେ ସନ୍ଦେହ ନାହିଁ ।