କୋହଲିଙ୍କ ପାଇଁ କଠିନ ପରୀକ୍ଷା ! ଚାମ୍ପିଅନ୍ସ ଟ୍ରଫିରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର

28

କନକ ବ୍ୟୁରୋ : କୋହଲିଙ୍କ ପାଇଁ କଠିନ ପରୀକ୍ଷା । ଚାମ୍ପିଅନ୍ସ ଟ୍ରଫିରେ କର ବା ମର ସ୍ଥିତିରେ ଟିମ୍ ଇଣ୍ଡିଆ । ସେମି ଫାଇନାଲ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟକ୍କର । ଅପରାହ୍ନରେ ୩ଟାରେ ଲଣ୍ଡନର ଓଭାଲରେ ଖେଳାଯିବ ମ୍ୟାଚ୍ । ଜିତିଲେ ଆଗକୁ ବଢିବ ଟିମ୍ ଇଣ୍ଡିଆ ଆଉ ହାରିଲେ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବ ଗତଥରର ଚାମ୍ପିଅନ୍ ଦଳ ।

ସେହିପରି ଦକ୍ଷିଣ ଆଫ୍ରିକା ହାରିଲେ ବିଶ୍ୱ ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ଦଳ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବ । ଫଳରେ ଉଭୟ କୋହଲି ଓ ଡିଭିଲିୟର୍ସଙ୍କ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଉଭୟ ଦଳ ପରସ୍ପରକୁ ୧୨ ଥର ଭେଟିଥିବା ବେଳେ ଭାରତ ୮ଟି ଏବଂ ଦକ୍ଷିଣ ଆଫ୍ରିକା ୪ ଥର ବିଜୟୀ ହୋଇଛି । ଆଜିର ମ୍ୟାଚରେ ବର୍ଷା ହେବାର ସମ୍ଭାବନା ନାହିଁ ।

ସେପଟେ ଅଷ୍ଟ୍ରେଲିଆକୁ ବିଦା କଲା ଇଂଲଣ୍ଡ । ସେମିଫାଇନାଲରେ ବାଂଲାଦେଶ । ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ୍ ପର୍ଯ୍ୟାୟରେ ଶେଷ ହୋଇଛି ବିଶ୍ୱବିଜେତା ଟିମର ଅଭିଯାନ । ବର୍ଷା ପାଇଁ ବାତିଲ୍ ହୋଇଥିବା ଦୁଇ ମ୍ୟାଚରୁ ମାତ୍ର ୨ ପଏଂଟ୍ ପାଇଥିବା କଙ୍ଗାରୁ ଦଳ ଶନିବାର ତା’ର ତୃତୀୟ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଠାରୁ ୪୦ ରନରେ ହାରି ବିଦାୟ ନେଇଛି ।

ବର୍ଷା ପ୍ରଭାବିତ କ୍ୱାର୍ଟର ଫାଇନାଲ ମ୍ୟାଚରେ କଙ୍ଗାରୁ ଦଳ ପ୍ରଥମେ ବ୍ୟାଟିଂ କରି ୨୭୮ ରନ୍ କରିଥିଲା । ତେବେ ୩୫ ରନରେ ତିନିଟି ଉଇକେଟ୍ ହରାଇଥିବା ଇଂଲଣ୍ଡ, ବେନ୍ ଷ୍ଟୋକ୍ସଙ୍କ ଅପରାଜିତ ୧୦୨ ଏବଂ ଇଆନ୍ ମୋର୍ଗାନଙ୍କ ୮୭ ରନ୍ ବଳରେ ବିଜୟୀ ହୋଇପାରିଥିଲା ।