ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଏସୀୟ ଦଳଙ୍କ ଭିଡ ! ରୋମାଂଚକର ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ସେମିରେ ପାକିସ୍ତାନ

22

କନକ ବ୍ୟୁରୋ : ସୋମବାର ଗ୍ରୁପ ବି’ର ସଂଘର୍ଷପୂର୍ଣ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ୩ ୱିକଟରେ ପାକିସ୍ତାନ ପରାସ୍ତ କରିଛି । ଏହାସହ ସେମି ଫାଇନାଲକୁ ପ୍ରବେଶ କରିଛି ପାକିସ୍ତାନ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୪୯.୨ ଓଭରରେ ସମସ୍ତ ୱିକେଟ ହରେଇ ୨୩୬ରନ୍ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନର ବ୍ୟାଟିଂରେ ବିପର୍ଯ୍ୟୟ ଘଟିଥିବା ସତ୍ୱେ ଅଧିନାୟକ ସର୍ଫରାଜଙ୍କ ଅପରାଜିତ ୬୧ ରନ ଓ ଅମିରଙ୍କ ଉପଯୋଗୀ ୨୮ ରନ ପାକିସ୍ତାନକୁ ବିଜୟର ସ୍ୱାଦ ଚଖାଇଥିଲା ।

ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଅଧିନାୟକ ସର୍ଫରାଜ ହୋଇଥିବା ବେଳେ ପାକିସ୍ତାନ ବୁଧବାର ଦିନ ପ୍ରଥମ ସେମିଫାଇନାଲରେ ଗ୍ରୁପ୍ ଏ’ ଟେବୁଲ ଟପ୍ପର ଇଂଲଣ୍ଡକୁ ଭେଟିବ । ସେପଟେ ଗୁରୁବାର ଦିନ ବାଂଲାଦେଶକୁ ଭେଟିବ ଭାରତ । କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ଯେ, ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ପାକିସ୍ତାନ ଫାଇନାଲକୁ ପ୍ରବେଶ କରୁ ଏବଂ ବାଂଲାଦେଶକୁ ହରାଇ ଭାରତ ଫାଇନାଲ ଖେଳୁ । ତେବେ ସୁପର ସଣ୍ଡେ ଫାଇନାଲ ମ୍ୟାଚରେ ଭାରତ ଓ ପାକିସ୍ତାନର ଟକ୍କର ଦେଖିବାକୁ ଚାହାନ୍ତି କ୍ରିକେଟପ୍ରେମୀ ।