ଆଜି ଶ୍ରୀଲଙ୍କା ବିପକ୍ଷରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ : ପାକ୍ ଶିକାର ପରେ ବିରାଟ ବାହିନୀର ମନୋବଳ ଆକାଶଛୁଆଁ

23

କନକ ବ୍ୟୁରୋ : ଚାମ୍ପିଅନ୍ସ ଟ୍ରଫିରେ ଆଜି ଟିମ୍ ଇଣ୍ଡିଆ ତାର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ଯାଉଛି । ଆଜି ଲଣ୍ଡନରେ ଶ୍ରୀଲଙ୍କା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ବଡ଼ ବ୍ୟବଧାନରେ ପରାସ୍ତ କରିବା ପରେ ଡିଫେଣ୍ଡିଂ ଚାମ୍ପିଅନ ଭାରତର ମନୋବଳ ଏବେ ଆକାଶଛୁଆଁ । ସବୁ ବିଭାଗରେ ଶ୍ରୀଲଙ୍କାଠାରୁ ଉନ୍ନତ ମନେହେଉଛି ଭାରତ । ତା ସହ ସାଙ୍ଗାକାରା, ଜୟବର୍ଧନେ ଓ ଦିଲସାନଙ୍କ ପରି ଖେଳାଳିଙ୍କ ଅବସର ପରେ ସିଂହଳି ଦଳ ମଧ୍ୟ ଦୁର୍ବଳ ହୋଇପଡିଛି । ତେଣୁ ଆଜିର ମ୍ୟାଚ୍ ଜିତି ସେମିଫାଇନାଲ ଟିକେଟ ପକ୍କା କରିବା ଲକ୍ଷ୍ୟରେ ରହିଛି ବିରାଟ କୋହଲିଙ୍କ ଦଳ ।

ସେପଟେ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିବା ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ୍ କର ବା ମର ସଦୃଶ ହୋଇଛି । ଲଣ୍ଡନ ମ୍ୟାଚରେ ବର୍ଷା ବାଧକ ହେବାର ଆଶଙ୍କା ରହିଛି । ଆଜିର ମ୍ୟାଚ ବେଳେ ୪୦ ପ୍ରତିଶତ ବର୍ଷା ଆଶଙ୍କା ରହିଛି । ତେଣୁ ଟସ୍ ଗୁରୁତ୍ୱପୂର୍ଣ ଭୂମିକା ନେବା ସହ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳ ଫାଇଦାରେ ରହିବ ବୋଲି କୁହାଯାଉଛି ।