ରାଉରକେଲା ଏନଆଇଟି ଯୌନ କେଳେଙ୍କାରୀ ମାମଲା : ଅଭିଯୁକ୍ତ ବଳରାମ ଚମ୍ପତିରାୟଙ୍କୁ ଗିରଫ କଲା ପୁଲିସ୍

39

ରାଉରକେଲା ବ୍ୟୁରୋ ,କନକ ନ୍ୟୁଜ୍ : ରାଉରକେଲା ଏନ୍ଆଇଟିର ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟ ଗିରଫ । ମହିଳା ସୁରକ୍ଷା କର୍ମୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୁଲିସ । ଝିରପାଣି ଥାନା ଜଗଦାରୁ ଚମ୍ପତିରାୟଙ୍କୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୂର୍ବରୁ ଚମ୍ପତିରାୟଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବାକୁ ମନା କରି ଦେଇଥିଲେ ହାଇକୋର୍ଟ । ଗତ ୨୬ ତାରିଖରୁ ଫେରାର ଥିଲେ ବଳରାମ ଚମ୍ପତିରାୟ । ଏନ୍ଆଇଟିରେ ମହିଳା ସୁରକ୍ଷାକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ । ଯାହାଫଳରେ ଏନ୍ଆଇଟି ପରିସରରେ ଉତେଜନା ଭଳି ପରିସ୍ଥିତି ଲାଗି ରହିଥିଲା । ଏଭଳିକି ଏନ୍ଆଇଟି ନିର୍ଦେଶକ ଚମ୍ପତିରାୟଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ । ଘଟଣା ନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ହସ୍ତକ୍ଷେପ ଲୋଡ଼ିଥିଲେ ଛାତ୍ରଛାତ୍ରୀ । ମନ୍ତ୍ରାଳୟର ଜଣେ ସଚିବ ଆସି ଘଟଣାର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ । ତେବେ ଏହାପୂର୍ବରୁ ନିର୍ଦେଶକଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀଙ୍କ ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତି ହୋଇଥିଲା ।