ଚ୍ୟାଲେଞ୍ଜର ପାହାଡରେ ରାଜେନ୍ଦ୍ର ପ୍ରସାଦ ଶର୍ମା

52

କନକ ବ୍ୟୁରୋ : ରାଜ୍ୟର ନୂଆ ପୁଲିସ ଡିଜିପି ହୋଇଛନ୍ତି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । କନୱର ବ୍ରଜେଶ ସିଂଙ୍କ ସ୍ଥାନରେ ତାଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ଆଜି କଟକ ପୁଲିସ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । କମ୍ୟୁନିଟି ପୁଲିିସିଂକୁ ଅଧିକ କ୍ରିୟାଶୀଳ କରିବା ସହ ମାଓ ସମସ୍ୟା ଉପରେ ମଧ୍ୟ ଗୁରୁତ୍ୱ ଦେବେ ବୋଲି ଦାୟିତ୍ୱ ନେବା ପରେ ଡାକ୍ତର ଶର୍ମା କହିଛନ୍ତି ।

ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ୧୯୮୬ ବ୍ୟାଚର ଏହି ଆଇପିଏସ ଅଫିସରଙ୍କ ଘର ରାଜସ୍ଥାନ ଆଜମେରର ମଦନଗଞ୍ଜ ସିଟି ରୋଡ ଅଞ୍ଚଳରେ । ୧୯୮୭ରେ ପ୍ରଥମେ ଏ.ଏସ.ପି ପଦବୀରେ ଯୋଗଦେଇଥିଲେ ଅନୁଗୁଳ ସ୍ଥିତ ପୁଲିସ ଟ୍ରେନି ସେଣ୍ଟରରେ । ୧୯୮୯ରେ ଡାକ୍ତର ଶର୍ମା ରାୟଗଡା ଏସଡିପିଓ ଭାବେ କାର୍ଯ୍ୟ ଆରମ୍ଭ କରନ୍ତି । ପରେ ପରେ କଳାହାଣ୍ଡି, ବ୍ରହ୍ମପୁର, ବାଲେଶ୍ୱର, ଢ଼େଙ୍କାନାଳ ଭଳି ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ ସମ୍ପାଦନ କରନ୍ତି ସେ । କ୍ରାଇମବ୍ରାଞ୍ଚ ସହ କେନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେ ଏନଏସଜି ଭଳି ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ସଂସ୍ଥାରେ କାର୍ଯ୍ୟ କରିଛନ୍ତି ।

୨୦୧୩ରେ ଟୁଇନସିଟିର କମିଶନର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ରାଜେନ୍ଦ୍ର ଶର୍ମା । ଦୈତନଗରୀରେ ଅପରାଧିକ କାର୍ଯ୍ୟକଳାପରେ ରୋକ ଲଗାଇବା ତାଙ୍କ ପାଇଁ ବଡ ଉପଲବ୍ଧି ଥିଲା । ବହୁ ଚର୍ଚ୍ଚିତ ଧଳଭ୍ରାତାଙ୍କୁ ପୁଲିସ କବଜାକୁ ଆଣିବା ପାଇଁ ସେ ହିଁ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ । ତାଙ୍କ କାର୍ଯ୍ୟକାଳ ସମୟରେ କମିଶନରେଟ ପୁଲିସରେ ବରିଷ୍ଠ ନାଗରିକ ସୁରକ୍ଷା ଯୋଜନା ଠାରୁ ଆରମ୍ଭ କରି ଆବାସିକ ସୁରକ୍ଷା ଓ କମ୍ୟୁନିଟି ପୁଲିସିଂ ଭଳି ଅନେକ ମହତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ ହୋଇଥିଲା । ପୁଲିସ ଓ ଜନତାଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବା ପାଇଁ ସେ କ୍ଷେତ୍ର ପ୍ରସ୍ତୁତ କରିଥିଲେ । ବାରମ୍ବାର ପେଷାଗତ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଉଥିଲେ ବି ପୁଲିସ କାହିଁକି ଫେଲ ମାରୁଛି ତାହା ବୁଝିବାକୁ ଚେଷ୍ଟା କରିଥିଲେ ଡାକ୍ତର ଶର୍ମା ।

୨୦୧୬ରେ ଅତିରିକ୍ତ ଡିଜି ପଦରୁ ଡିଜି ପାହ୍ୟାକୁ ପଦୋନ୍ନତୀ ପାଇଥିଲେ ଡାକ୍ତର ଶର୍ମା । ରାଜ୍ୟ ଭିଜିଲାନ୍ସର ନିର୍ଦ୍ଦେଶକ ଭାବେ ସେ ୨୦୧୬ ଜାନୁଆରୀ ୨୭ରେ ଯୋଗ ଦେଇଥିଲେ । ପ୍ରାୟ ଦେଢ଼ବର୍ଷ କାଳ ସେ ଏହି ପଦବୀ ରହିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ବହୁ ବଡବଡିଆ ଅଫିସର ଓ ଯନ୍ତ୍ରୀଙ୍କୁ ଟ୍ରାପ କରିଥିଲେ । ଦେଢ଼ବର୍ଷ ଭିତରେ ଭିଜିଲାନ୍ସ ଆକ୍ଟିଭ ମୋଡକୁ ଆସିବା ସହ ବହୁ ଦୁର୍ନିତୀଗ୍ରସ୍ତ ଅଫିସରଙ୍କୁ କାବୁ କରିଥିଲା । ଦୁର୍ନିତୀଗ୍ରସ୍ତଙ୍କୁ ବାନ୍ଧିବା ସହ କୋଟି କୋଟି ଟଙ୍କା ସମ୍ପତ୍ତି ଠାବ କରିବାରେ ରେକର୍ଡ ସୃଷ୍ଟି ହୋଇଥିଲା ଶର୍ମାଙ୍କ କାର୍ଯ୍ୟକାଳ ସମୟରେ ।

ପଞ୍ଚାତିରାଜ ବିଭାଗରେ ପିସି କାରବାର ହେଉଥିବା ଅଭିଯୋଗ ଉଠିିବା ବେଳେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ଶର୍ମା ସ୍ୱତନ୍ତ୍ର ଧରପଗଡ ଆରମ୍ଭ କରିଥିଲେ । ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଗୃହ ନିର୍ମାଣ ଯୋଜନାରେ ଘର ନକରି ସରକାରୀ ଆକାଉଣ୍ଟରୁ ହେବା ମାମଲାରେ ବ୍ଳକ ସ୍ତରରେ ଯନ୍ତ୍ରୀ, ହିତାଧିକାରୀ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କୁ ଭିଜିଲାନ୍ସ ଜେଲକୁ ପଠାଇଥିଲା । ମୋଟାମୋଟି ଭାବେ ଗୃହ ନିର୍ମାଣ ଯୋଜନାରେ ଦୁର୍ନିତୀକୁ ଗୋଡେଇ ଗୋଡେଇ ଧରିଥିଲା ଭିଜିଲାନ୍ସ ।

ତେବେ ବିଭିନ୍ନ ସମୟରେ ଶ୍ରୀ ଶର୍ମା ନିଜର ପାରିବା ପଣିଆ ଦେଖାଇଛନ୍ତି । ସେଥିପାଇଁ ତାଙ୍କୁ ମିଳିଛି ପୁଲିସ ଡିଜି ଭାବେ ପୁରସ୍କାର । କହିବାକୁ ଗଲେ ନବୀନଙ୍କ ବିଶ୍ୱାସ ଜିତିଛନ୍ତି ଶର୍ମା ସାହେବ । ତେବେ ଡିଜିପି ଭାବେ ତାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିବ । ଆଜି ବି ସାଧାରଣ ଲୋକେ ଥାନାସ୍ତରରେ ନ୍ୟାୟ ପାଇପାରୁ ନାହାଁନ୍ତି । ମହିଳାଟିଏ ନିଜକୁ ସୁରକ୍ଷିତ ମନେ କରୁନି । ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ ପୁରୁଷ ଅଧିକାରୀ ରହିଛନ୍ତି ।

ଏମିତି ଅନେକ ଅଭିଯୋଗ ପୁଲିସ ବିଭାଗକୁ ଘାଇଲା କରୁଥିବା ବେଳେ ମାଓ ସମସ୍ୟା ମଧ୍ୟ ଦିନକୁ ଦିନ କମିବାର ନାଁ ନେଉନି । ତେଣୁ ନୂଆ ଡିଜିପିଙ୍କୁ ଏ ଦିଗରେ ପ୍ରାଥମିକତା ଦେବାକୁ ପଡିବ । ତେବେ ଅତୀତରେ ନିଜର କାଡତି ଦେଖାଇଥିବା ନବନିଯୁକ୍ତ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଆଗକୁ କଣ ପଦେକ୍ଷେପ ନେଉଛନ୍ତି ତାହା ଦେଖିବାର କଥା ।