ବିଜେଡି ପାଇଁ ଚାଲେଂଜ ବିଜେପୁର । ଜିଲ୍ଲାରେ ନେତା ମାଳ ମାଳ, ହେଲେ ମନ କିନ୍ତୁ ମିଶୁନି । ପ୍ରସନ୍ନ ଆଉ ସୁଶାନ୍ତଙ୍କ ଭିତରେ କ୍ଷମତାର ଲଢେଇ, ଦଳ ସାମ୍ନାରେ ଆହ୍ୱାନ ।

30

ବିଜେପୁରରେ ହେଉଥିବା ଲଢେଇ ତିନି ପ୍ରମୁଖ ରାଜନୈତିକ ଦଳର ଶୀର୍ଷ ସ୍ତରୀୟ ନେତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ଥିବା ବେଳେ, ସ୍ଥାନୀୟ ସ୍ତରର ନେତୃତ୍ୱଙ୍କ ପାଇଁ ମଧ୍ୟ ଗୁରୁତ୍ୱପୁର୍ଣ୍ଣ । ଖାସ କରି ବରଗଡ ରାଜନୀତିରେ ବିଜେଡିର ତିନି ଚେହେରା ନିଜ ଭିତରେ କିଭଳି ସମନ୍ୱୟ ରଖି ଆଗକୁ ବଢୁଛନ୍ତି ଏବଂ ସେମାନଙ୍କର ଅଭିକ୍ଷତାକୁ ଦଳ କିଭଳି ବ୍ୟବହାର କରୁଛି, ତାହା ମଧ୍ୟ ରହିବ ନଜରରେ । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବରଗଡ ରାଜନୀତିର ଜଣେ ଜଣେ ଟାଣୁଆ ଚେହେରା । ୨୦୧୪ରେ ସୁବଳ ସାହୁଙ୍କ ନିକଟରୁ ଯଦିଓ ପ୍ରସନ୍ନ ଆଚାର୍ଯ୍ୟ ବହୁ କମ ଭୋଟରେ ପରାଜିତ ହୋଇଥିଲେ, ତଥାପି ଜିଲ୍ଲା ରାଜନୀତିରେ ଆଚାର୍ଯ୍ୟ ପରିବାରର ବହୁ ଦବଦବା ରହିଛି । ପ୍ରଥମରୁ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ନେଇ ଯଦିଓ ପ୍ରସନ୍ନ, ଅପ୍ରସନ୍ନ ଥିବା କୁହାଯାଉଥିଲା, ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ନବୀନ ବୁଝାଇବାରେ ସମର୍ଥ ହୋଇଥିବା କୁହାଯାଉଛି ।


ସେହିଭଳି ରୀତା ସାହୁଙ୍କୁ ଦଳକୁ ଆଣିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ସୁଶାନ୍ତ ସିଂ, ଏବେ ନବୀନ ପଟ୍ଟନାୟକଙ୍କର ବିଜେପୁର ଗୋଟି ହୋଇଥିବା କୁହାଯାଉଛି । କୃଷକ ସେଲର ଦାୟିତ୍ୱରେ ଥିବା ଏହି ନେତା, ବରଗଡ ରାଜନୀତିରେ ଜଣେ ବେଶ ଭଲ ସଂଗଠକ । ଏପରିକି ଚାଷୀ ଆତ୍ମହତ୍ୟା ସମୟରେ ଭଟଲିରେ ଯେଉଁ ବିରାଟ ସମାବେଶ କରାଇଥିଲେ, ସେତେବେଳେ ନିଜ ସାମର୍ଥ୍ୟର ଉଦାହରଣ ଦେଇଥିବା କୁହାଗଲା । ବିଜେଡିର କୋଟେରୀ ଗୋଷ୍ଠୀର ଅତ୍ୟନ୍ତ ଅନୁଗତ ଏହି ନେତାଙ୍କ ଉପରେ ବିଜେଡିର ଅନ୍ଦର ମହଲ କୁଆଡେ ବେଶ ଭରସା କରିଛି । ଏପରିକି ବିଜେପୁର ଗୋଟିଚାଳନା ସମୟରେ ସୁଶାନ୍ତ ଆଗୁଆ ରହୁଥିବା ଦେଖିବାକୁ ମିଳିଛି । ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ବିଜେପୁର ଉପନିର୍ବାଚନରେ ବେଶ ବଡ ଭୁମିକାରେ ଆସିବେ । ଖାସ କରି ପ୍ରତ୍ୟେକ କର୍ମୀଙ୍କୁ କ୍ରିୟାଶୀଳ କରିବା ସହ ବିଜେପୁରକୁ ଫୋକସରେ ରଖି ସେ କାମ କରୁଥିବାର ଦେଖିବାକୁ ମିଳୁଛି । ମୋଟ ଉପରେ କହିବାକୁ ଗଲେ ଭଟଲି ଆଉ ଅତାବିରା ନିର୍ବାଚନ ମଣ୍ଡଳୀର ଏହି ଦୁଇ ନେତା ପଡୋଶୀ ବିଜେପୁର ଉପରେ ବେଶ ପ୍ରଭାବୀ ସାବ୍ୟସ୍ତ ହୋଇପାରନ୍ତି । ଉଭୟେ ମନ୍ତ୍ରୀ ମଧ୍ୟ ଅଛନ୍ତି । ଏପରିକି ଚାଷ ଆଉ ବୁଣାକାର, ଯେଉଁ ଦୁଇଟି ପ୍ରସଙ୍ଗ ବିଜେପୁରରେ ଗୁରୁତ୍ୱ ବହନ କରିବ, ସେହି ଦାୟିତ୍ୱରେ ମଧ୍ୟ ଜଡିତ ଅଛନ୍ତି । ତେବେ ନେତାଙ୍କ ଭିତରେ ଥିବା ମନୋମାଳିନ୍ୟ କିନ୍ତୁ ବିଜେଡି ପାଇଁ ଚିନ୍ତାର ବିଷୟ ହେବ । କାହିଁକି ନା ରୀତା ସାହୁଙ୍କୁ ନେଇ ପ୍ରସନ୍ନ ଆଉ ସୁଶାନ୍ତଙ୍କ ମଧ୍ୟରେ ଏକ ଫାଟ ତିଆରି ହୋଇଥିଲା ।