ପଶ୍ଚିମରେ ନିଆଁ ଲଗାଇଲା, ଉପକୂଳରେ ଫସଲ ଉଜାଡିଲା! ଚାଷୀକୁ ଚକଡା ଚଡକ

41

କନକ ବ୍ୟୁରୋ : ଉପାନ୍ତରୁ ଉପକୂଳ, ପଶ୍ଚିମରୁ ସୀମାନ୍ତ । ଗୋଟିଏ ଚିତ୍ର, ସମାନ କାହାଣୀ । ଚକଡ଼ାର ଚଡ଼କ ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ । ଚାଷୀଙ୍କ ଭାଗ୍ୟକୁ ଯେମିତି ଉପହାସ କରୁଛି, ପ୍ରତିକାର ଓ ପ୍ରତିଷେଧକ ପାଇଁ ଦିଆଯାଇଥିବା କୀଟନାକଶ ଔଷଧ । ୭ରୁ ୮ଥର ଔଷଧ ଦେବା ସତ୍ୱେ ବି ଫଳ ଶୂନ, ଏପରି ସ୍ଥଳେ ଚାଷୀ କରିବ କଣ । ବାରମ୍ବାର କହିବା ପରେ ଶୁଣିବାକୁ କେହି ନାଆନ୍ତି, ଶେଷରେ ଆତ୍ମହତ୍ୟାର ବାଟକୁ ବାଛି ନେଉଛନ୍ତି କ୍ଷତିଗ୍ରସ୍ତ ଚାଷୀ ।

ଉପାନ୍ତ କୋରାପୁଟ ଜିଲ୍ଲାର ୫ଟି ବ୍ଲକର ଶହ ଶହ ଏକର ଚାଷର ଫସଲ, ଚାଲି ଯାଇଛି ଚକଡ଼ା ପୋକଙ୍କ ପେଟକୁ । ଧାର ଉଧାର କରିଥିବା ଚାଷୀଙ୍କ ହାତରେ କେବଳ ଅଗାଡ଼ି । ଯାହା ଗାଈଗୋରୁ ଖାଇବା ପାଇଁ ବି ଆଉ ଉପଯୋଗୀ ହୋଇରହିିନି ।ଅନ୍ୟ ପଟେ ପ୍ରାଶାସନ ଜମିକୁ ନଯାଇ ଅଫିସରେ ରହି କ୍ଷୟକ୍ଷତିର ଆକଳନ କରୁଛି ବୋଲି ଚାଷୀ କହିଛନ୍ତି । ଯାହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି ।

ନୂଆପଡ଼ା ଜିଲ୍ଲା ଫସଲ ବି ଖାଇ ଯାଇଛି ଚକଡ଼ା ପୋକ । ନୂଆପଡ଼ା ବ୍ଲକ୍ରେ ୧୮୪୩ ହେକ୍ଟର, ସିନାପାଲି ବ୍ଲକରେ ୮୨୬ ହେକ୍ଟର, କୋମନା ବ୍ଳକ୍ରେ ୪୧ ହେକ୍ଟର, ଖରିଆର ବ୍ଲକରେ ୧୨୦ ହେକ୍ଟର ଏବଂ ବୋଡେନ୍ ବ୍ଳକ୍ରେ ୨୮ ହେକ୍ଟର ଫସଲ ନଷ୍ଟ ହୋଇଛି ।

FARMER CARDମାଲକାନଗିରି ଜିଲ୍ଲାରେ ବି ସେହି ସମାନ ଘଟଣା । ଏଠି କେବଳ ଚକଡ଼ା ପୋକ ନୁହେଁ କେଣ୍ଡା ଓ ଲେଡ଼ା ପୋକ ଚାଷୀଙ୍କ ପାଇଁ ଦାଉ ସାଧିଛି । ଚକଡା ପୋକ ଧାନ ଗଛକୁ ଶୋଷି ନେବା ଯୋଗୁ ଧାନ କେଣ୍ଡା ସବୁ ନଷ୍ଟ ହୋଇଯାଇଛି । ତେଣେ ଯାହା ସବୁ ଫଳନ୍ତା ଧାନ ଗଛ ରହିଛି, ସେଥିରେ ଏବେ ଲେଡା ଲାଗି ଯାଇଛି । ଲେଡା ପୋକ ଏବଂ କେଣ୍ଡା କଟା ପୋକ ଯୋଗୁ କ୍ଷେତ ର ଫଳି ଥିବା ଧାନ ଗଛ ର ଧାନ କେଣ୍ଡା ସବୁ କାଟି ପକାଉଛନ୍ତି । ଏଭଳି ସ୍ଥିତିରେ ଚାଷୀ କ୍ଷେତରୁ ଧାନ କାଟିବ ନା ସେମିତି ଛାଡି ଦେବ ସେନେଇ ଚିନ୍ତାରେ ପଡିଛନ୍ତି ଆଉ ଏଭଳି ସ୍ଥିତିରେ ମୂଳ ଖର୍ଚ୍ଚ ଫେରିବା ନେଇ ଆଶଙ୍କାରେ ଅଛନ୍ତି ଚାଷୀ ।

ବରଗଡ଼ରୁ ସାମ୍ନାକୁ ଆସିଥିବା ଚକଡ଼ା ପୋକର ପ୍ରକୋପ, ଉପାନ୍ତ ଦେଇ ଉପକୂରେ ପହଂଚିଛି । କଟକ ଜିଲ୍ଲା ନିଆଳି ବ୍ଲକରେ ଉଜୁଡି ଯାଇଛି ଏକର ଏକର ଫସଲ । ବିଶେଷ କରି କପାସି ପଂଚାୟତର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଚକଡ଼ା ପୋକ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବି ବ୍ୟାପିଛି ଚକଡ଼ା ପୋକ । ଘସିପୁରା, ଆନ୍ଦନପୁର ଏବଂ ହାଟଡିହିରେ ମୋଟ୍ ୨୦ ହଜାର ୫ଶହ ହେକ୍ଟର ଫସଲ ଏହି ପୋକ ଯୋଗୁଁ ପ୍ରଭାବିତ ହୋଇଛି । ଚକଡା ପୋକର ଚଡକ ସାରା ରାଜ୍ୟକୁ ମାଡି ବସିଥିବା ବେଳେ ସରକାର ଚାଷୀଙ୍କ ପାଇଁ କେଉଁ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା ।