ନବରଙ୍ଗପୁରରେ ଚକଡା ଆତଙ୍କ ! ପୋକ ଲାଗି ନଷ୍ଟ ହେଲା ଶହ ଶହ ଏକର ଫସଲ, ହଜିଲା ଚାଷୀଙ୍କ ନିଦ ।

66

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଏବେ ଚକଡା ଆତଙ୍କ । ଚକଡା ପୋକ ଲାଗି ନଷ୍ଟ ହୋଇଯାଇଛି ଶହ ଶହ ଏକର ଧାନ ଫସଲ । କ୍ଷତିଗ୍ରସ୍ତ ଚାଷୀ ସ୍ଥାନିୟ ବିଡିଓଙ୍କ ଠାରୁ ଆରମ୍ଭ କରି କୃଷି ବିଭାଗର ଅଧିକାରୀଙ୍କୁ ଜଣାଇଛନ୍ତି । କିନ୍ତୁ ଫଳ ଶୁନ । କୌଣସି ସରକାରୀ ଅଧିକାରୀ ଏଯାଏ ସେମାନଙ୍କ ନିକଟକୁ ଯାଇନଥିବା ଅଭିଯୋଗ ହୋଇଛି ।

ଚାଷୀଙ୍କ ନିଦ ହଜେଇ ଦେଇଛି ଚକଡା । ଚକଡା ପୋକ ଲାଗି ଶହ ଶହ ଏକର ଫସଲ ନଷ୍ଟ । ଏ ଘଟଣା ହେଉଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବାମୁଣି ଗ୍ରାମର । କରଜ ଲାଗି ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନଚାଷ କରିଥିଲେ ଚାଷୀ । ହେଲେ ଫସଲ ଅମଳ ହେବା ପୂର୍ବରୁ ଚାଷୀ ହତାସ । ଚକଡା ପୋକ ଲାଗି ଧାନ ଗଛ ମରିଯାଇଛି । ସୁନାର ଫସଲ ମାଟିରେ ମିଶିଯାଇଛି । ଚାଷଜମିରେ ଏଭଳି ଘଟଣା ଚାଷୀଙ୍କୁ ହତାସ କରିଛି ।

ଧାନଗଛରେ ପୋକ ଲାଗିବା ଆରମ୍ଭ ହେବା ସମୟରେ ଚାଷୀମାନେ ସ୍ଥାନିୟ କୃଷି ଅଧିକାରୀ, ଗ୍ରାମ ସେବକ, ବିଡିଓ ଏବଂ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରାଇଥିଲେ । ହେଲେ କୌଣସି ସହେଯାଗ ମିଳିନଥିଲା । ଚକଡା ଦାଉରୁ ରକ୍ଷା ପାଇବା ପାଇଁ ଔଷଧ ବ୍ୟବହାର କରିଥିଲେ ମଧ୍ୟ କାମ ଦେଲାନି । ନଷ୍ଟ ହେଲା ଫସଲ । ସେପଟେ କୃଷି ଅଧିକାରୀ କହିଛନ୍ତି ଚାଷୀମାନଙ୍କୁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦିଆଯିବ । ଉପାନ୍ତ ଅଂଚଳର ଏହି ଚାଷୀ ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ।