ଅଣସର ଘରେ ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ ! ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଆଜି ଚଳାବିଜେ ନୀତି, ଜାଣନ୍ତୁ ଏହି ‘ଚଳାବିଜେ’ ନୀତି ବାସ୍ତବରେ କଣ

82

କନକ ବ୍ୟୁରୋ: ମହାପ୍ରଭୁଙ୍କ ଅଣସରରେ ଆଜି ହେଲା ଦଶମ ଦିନ । ୧୦୮ ଗରାରେ ଗାଧେଇବା ପରେ ଅସୁସ୍ଥ ହୋଇପଡିଥିଲେ ଶ୍ରୀଜିଉ । ତେବେ ଗୁପ୍ତନୀତି ପରେ ଧୀରେ ଧୀେରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବ । ଦଇତାପତି ସେବକମାନେ ଅସୁସ୍ଥ ମହାପ୍ରଭୁଙ୍କ ଏହି ଚଳାବିଜେ ନୀତି କରାଇବେ ତେବେ ୧୦୮ ଗରାରେ ଗାଧୋଇବା ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଜ୍ୱରରେ କମ୍ପୁଥିବା ମହାପ୍ରଭୁ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଦଇତାପତି ସେବକ ମାନେ ମହାପ୍ରଭୁଙ୍କୁ ଚକା ଉପରକୁ ବିଜେ କରାଇଥାନ୍ତି । ଯାହାକି ମୁଗୁନି ପଥରରେ ନିର୍ମିତ ହୋଇଥାଏ । ଏହାପରେ ଆସନ୍ତା କାଲି ଅଣସରର ସବୁଠାରୁ ବଡ ନୀତି ଅନୁଷ୍ଠିତ ହେବ ।

ମହାପ୍ରଭୁଙ୍କ ସଂପୂର୍ଣ୍ଣ ସୁସ୍ଥ ପାଇଁ ପୁରୀ ଗଜପତିଙ୍କ ନିର୍ଦ୍ଦେଶକ୍ରମେ ରାଜବୈଦ ଦଶମୂଳ ମୋଦକ ପ୍ରସ୍ତୁତ କରି ଦଶମୀ ତିଥି ତଥା ଆଜି ଶ୍ରୀମନ୍ଦିରକୁ ଆଣିବେ । ତାଳପୂର୍ଣ୍ଣି , ଗମ୍ଭାରୀ, ବଲ୍ଲ, ପଣପଣା, ଗୋଖରା ଆଦି ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଆ ମହୁ ଆଦି ଗୋଳାଇ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥାଏ । ଆଉ ଏହି ମୋଦକକୁ ଏକାଦଶୀ ଦିନ ପତି ମହାମାତ୍ରସେବକ ମହାପ୍ରଭୁଙ୍କୁ ସମର୍ପି ଦେଇଥାନ୍ତି । ଆଉ ଏହି ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଆନ୍ତି । ଦ୍ୱାଦଶ ଦିନ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯାଇଥାଏ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶ୍ରୀମନ୍ଦିର ସେବାୟତ । ଶ୍ରୀମନ୍ଦିର ସେବାୟତଙ୍କ ସବୁ ନିଯୋଗର ପ୍ରତିନିଧି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟଙ୍କ ସଂସ୍କାର ପ୍ରସ୍ତାବ ପରେ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଫଳରେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସେବାୟତଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଏ ସଂପର୍କରେ ସବିଶେଷ ଆଲୋଚନା କରିବେ । ଆଜି ଦିନ ୧୨ଟାରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରି ପାରିିବେ କି ନାହିଁ, ବଂଶାନୁକ୍ରମିକ ସେବାୟତ ପରମ୍ପରା ବନ୍ଦ ହେବ କି ନାହିଁ, ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ପରେ ସୃଷ୍ଟି ହୋଇଛି ବଡ଼ ଧରଣର ବିତର୍କ । ଏ ନେଇ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।