ବିଜେଡି ବିଧାୟକଙ୍କୁ ସହିଦ ସଂପର୍କୀୟଙ୍କ ସାର୍ଟିଫିକେଟ୍ । ଦୁର୍ବ୍ୟବହାରର ଶିକାର ଦାଦା କହିଲେ ‘ଦେବାଶିଷବାବୁ ବହୁତ ଭଲ ଲୋକ’

1,329

କନକ ବ୍ୟୁରୋ : ସହିଦ ମନୋଜ ବେହେରାଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଦାଦାଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଖୋଦ ସହିଦ ମନୋଜ ବେହେରାଙ୍କ ଦାଦା ଚୈତନ୍ୟ ବେହେରା । ସହିଦଙ୍କ ଦାଦା ଚୈତନ୍ୟ ବେହେରା ଦେବାଶିଷଙ୍କ ସପକ୍ଷରେ ସଫେଇ ରଖିଛନ୍ତି । ଧକ୍କା ନୁହେଁ ବଂର ଦେବାଶିଷ ସେଠାରେ ତାଙ୍କୁ ତଳେ ବସିବାକୁ କହିଥିଲେ ବୋଲି ସେ କହିଛନ୍ତି । ସେ କହିଛନ୍ତି କି, ଦେବାଶିଷ ବାବୁ ବହୁତ ଭଲ ଲୋକ, ଏଥିରେ ତାଙ୍କର କୌଣସି ଦୋଷ ନାହିଁ ଏବଂ ଏହାକୁ ନେଇ ତୁଛାଟାରେ ରାଜନୀତି କରାଯାଉଛି ।

ଚୈତନ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ପ୍ରଥମେ ଆମେ ଯେତେବେଳେ ଗାଡି ନିକଟକୁ ପାଉଁଶ ଆଦି ନେଇ କୋକେଇ ବାନ୍ଧୁବାକୁ ଗଲୁ , ସେତେବେଳେ ତାଙ୍କୁ ପଚାରିଥିଲୁ କି ଏଠାରେ କୋକେଇ ବନ୍ଧାଯିବ ନା ଜୁଇଁ ପାଖରେ, ଏହାପରେ ସେମାନେ କହିଥିଲେ କି ନା ଜୁଇଁ ପାଖରେ ବନ୍ଧା ଯିବ ବୋଲି । ଆମେ ଜୁଇଁ ପାଖରେ କୋକେଇ ବାନ୍ଧିଲୁ ତାପରେ ଶବ ନେଇ କୋକେଇରେ ରଖିଥିଲୁ । ଆଉ ଠିକ୍ ଏହି ସମୟରେ ଦେବାଶିଷ ବାବୁ ମୋତେ କହିଥିଲେ କି, ମଉସା ତୁମେ ଟିକେ ପାଖେଇ ଯାଅ, ଆମେ ଟିକେ ଯବାନଙ୍କ ପାର୍ଥିବ ଶରୀରରେ ପୁଷ୍ପାଂଜଳୀ ଦେବୁ , ତାପରେ ଶବ ଦାହ କରିବେ, ଏହି ସମୟରେ ଲୋକଗହଳୀ ଯୋଗୁଁ ଠେଲା ପେଲା ହୋଇଥିଲା, ତେଣୁ ମୁଁ ସେଠାରୁ ବାହାରକୁ ଚାଲି ଆସିଲି । ଏହାପରେ ଦେବାଶିଷ ବାବୁ ମୋତେ ଡାକିଥିଲେ ଆଉ ମୋତେ କହିଲେ କି ମଉସା ତୁମେ ଏଠି ବସିଯାଅ କାହିଁକି କେଉଁଆଡେ ଯାଉଛ । ତେବେ ଦେବାଶିଷ ବାବୁ ବହୁତ ଭଲ, ବହୁତ ସମ୍ମାନୀୟ ଲୋକ । କିନ୍ତୁ ତାଙ୍କ କଥାକୁ ନେଇ ଯଦି ରାଜନୀତି କରାଯିବ ତେବେ ତାହା ଅତ୍ୟନ୍ତ ଭୁଲ କଥା ।  ଏଥିରେ ଦେବାଶିଷ ବାବୁଙ୍କର କୌଣସି ଦୋଷ ନାହିଁ ବୋଲି   ଚୈତନ୍ୟ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସେପଟେ, ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇରାଲ ଭିଡିଓକୁ ନେଇ ଜୋର ଧରିଲା ରାଜନୀତି । ଗୋଟିଏ ପଟେ କଂଗ୍ରେସ, ବିଜେପି ଦେବାଶିଷଙ୍କୁ ଘେରିଛନ୍ତି । ଅନ୍ୟପଟେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷଙ୍କ ଗିରଫ ଦାବି କରିବା ସହ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଉ ବୋଲି କହିଛି । ଅନ୍ୟପଟେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଦେବାଶିଷ ସାମନ୍ତରାୟ କ୍ଷମା ପ୍ରାର୍ଥନା କରିସାରିଛନ୍ତି । ଏହାକୁ ନେଇ ରାଜନୀତି କରାନଯାଉ । କଣ ହେବ କେଣ ହେବନି ତାହା ଦଳର ସୁପ୍ରିମୋ ନିଷ୍ପତି ନେବେ ବୋଲି ପ୍ରତାପ ଦେବ କହିଛନ୍ତି ।

ଉଲ୍ଲେଖ ଥାଉ କି, ନିକଟରେ ସହିଦ ମନୋଜ ବେହେରାଙ୍କ ସଂପର୍କୀୟଙ୍କୁ ତଂଟିଆ ମାରିବା ଘଟଣାକୁ ନେଇ  ନିଃସର୍ତ୍ତ କ୍ଷମା ମାଗିଛନ୍ତି କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ଏନେଇ ଦେବାଶିଷ କହିଥିଲେ ଯେ, ଅଜାଣତରେ ସହିଦଙ୍କ ସଂପର୍କୀୟଙ୍କୁ ଆଘାତ ଦେଇଥିବାରୁ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ସହିଦଙ୍କ ଅନ୍ତିମ ସଂସ୍କାର ବେଳେ ସେଠାରେ କିଛି ଲୋକ ବିଶୃଙ୍ଖଳା କରୁଥିଲେ । ତେଣୁ ସେ ତାଙ୍କୁ ଟାଣି ଆଣି ବସେଇ ଦେଇଥିଲେ । ସେହି ବ୍ୟକ୍ତି ମନୋଜଙ୍କ ସଂପର୍କୀୟ ବୋଲି ଜାଣି ନଥିବା କହିଥିଲେ ଦେବାଶିଷ ସାମନ୍ତରାୟ ।