ରାତି ତ ରାତି, ଦିନ ଦ୍ୱିପ୍ରହରରେ ମାତିଲେ ଚେନ୍ ଲୁଟେରା । ସିସିଟିଭିରେ ରେକର୍ଡ ହେଲା ପୂରା ଘଟଣା

ଚମତ୍କାର ଉପାୟରେ ଚେନ୍ ଲୁଟିବାକୁ ଉଦ୍ୟମ

141

କନକ ବ୍ୟୁରୋ : ରାଜଧାନୀରେ ପୁଣି ମାତିଲେ ପଲସର ଗ୍ୟାଙ୍ଗ । ସ୍ପଷ୍ଟ ଦିବାଲୋକରେ ଚେନ୍ ଲୁଟ୍ ଉଦ୍ୟମର ଆଉ କାହାଣୀ ଆଜି ଭୁବନେଶ୍ୱର ନାଗେଶ୍ୱରଟାଙ୍ଗୀ ଅଂଚଳରୁ ସାମ୍ନାକୁ ଆସିଛି । ଘର ଆଗରେ ମହିଳାଙ୍କ ବେଗରୁ ଚେନ୍ ଉଦ୍ୟମ କରି ଫେରାର୍ ହୋଇଯାଇଛନ୍ତି ଦୁଇ ଜଣ ଦୁର୍ବୃତ । ବାଇକରେ ଆସି ବେଶ ଚତୁରତା ସହ ଲୁଟ୍ ଉଦ୍ୟମ କରିଛନ୍ତି । ଆଉ ଏହାର ପୁରା ଚିତ୍ର କଏଦ ହୋଇଛି ସିସିଟିଭି କ୍ୟାମେରାରେ ।

ସକାଳ ପ୍ରାୟ ୯ଟା । ପ୍ଲଟ ନମ୍ବର ୫୨୬, ବିବେକାନନ୍ଦ ମାର୍ଗ । ସକାଳୁ ସକାଳୁ ଠାକୁର ଦର୍ଶନ ପାଇଁ ସପରିବାର ମନ୍ଦିର ବାହାରୁଥିଲେ ପିଣ୍ଟୁ ଭୁୟାଁ । ଘର ବାହାରେ ପାର୍କ ହୋଇଥିଲା କାର । ପିଣ୍ଟୁ ଗାଡି ଭିତରେ ବସି ରହିଥିଲେ । ଅନ୍ୟପଟେ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ ଗାଡି ଭିତରେ ବସିବାକୁ ଯାଉଥିଲେ । ହଠାତ୍ ତାଙ୍କ ନିକଟରେ ଲାଗିଲା ବ୍ଲାକ ପଲସର । ଜଣେ ହେଲମେଟ୍ ପିନ୍ଧି ଗାଡି ଚଲାଉଥଲା ଓ ଅନ୍ୟଜଣେ ଗାଡି ପଛରେ ବସି ରହିଥିଲା । କିଛି ବୁଝିବା ଆଗରୁ ପଛ ପଟରେ ବସି ରହିଥିବା ଦୁର୍ବୁତ ମହିଳାଙ୍କ ଚେନକୁ ଝାମ୍ପି ପଡ଼ିଲା । ଆଉ ଚାହୁଁ ଚାହୁଁ ଆଖି ପିଛୁଳାକେ ଚମ୍ପଟ୍ ମାରିଥିଲା । ହେଲେ ମହିଳା ଜଣକର ଉପସ୍ଥିତ ବୁଦ୍ଧିି ଯୋଗୁଁ ଫେଲ ମାରିଥିଲା ଲୁଟେରାଙ୍କ ମାଷ୍ଟର ପ୍ଲାନ୍ । ଲୁଟରୁ ଅଳ୍ପକେ ବଂଚି ଯାଇଥିଲେ ମହିଳା । ଆଉ ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହାଇଥିଲା

ବେଶ ପୋଷାକରୁ ବେଶ୍ ସମ୍ଭ୍ରାନ୍ତ ଶ୍ରେଣୀର ଭଳି ଲାଗୁଥିଲା ଲୁଟେରା । ହାତରେ ଥିଲା ବ୍ଲାକ ପଲସର । ଏମାନଙ୍କ ବେଶ ପୋଷାକ ଦେଖି କେହିବି ଏମାନଙ୍କୁ ଲୁଟେରା ବୋଲି ଅନୁମାନ କରିବା ମୁସ୍କିଲ । ରାତି ତ ରାତି ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବେକରୁ ସୁନା ଝାମ୍ପିବାକୁ ପଛାଉ ନାହାଁନ୍ତି ଏମାନେ । ଦିନ ଦ୍ୱିପ୍ରହରରେ ଲୁଟେରା ରାଜଧାନୀରେ ଏଗଳିରୁ ସେ ଗଳିକୁ ଘୁରି ବୁଲୁଥିଲେ ବି ସେମାନଙ୍କୁ କାବୁ କରିବାରେ ବିଫଳ ପୁଲିସ । ସିସିଟିଭି ଫୁଟେଜ ଆଧାରରେ ଏବେ ଚୋରକୁ ଖୋଜୁଛି ପୁଲିସ । ହେଲେ ପୁଲିସ ଆଖିରେ ଧୁଳି ଦେଇ ଫେରାର୍ ହୋଇଯାଇଛନ୍ତି ଅପରାଧୀ ।