ଚେନ୍ ଲୁଟେରାଙ୍କ ହାତରେ ବନ୍ଧୁକ ! ବେଧଡକ୍ ଘର ଅଗଣାରେ ପଶି ଲୁଟ୍ ସହ କଲେ ଗୁଳିମାଡ଼

30

କନକ ବ୍ୟୁରୋ : ଚେନ୍ ଲୁଟେରା ହାତରେ ବନ୍ଧୁକ । ବଦଳିଗଲାଣି ଲୁଟେରାଙ୍କ ଅନ୍ଦାଜ । ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଉଥିବା ଲୁଟେରା ଏଣିକି ମାରଣାସ୍ତ୍ର ଧରୁନାହାଁନ୍ତି ବରଂ ବନ୍ଧୁକ ଧରୁଛନ୍ତି । ଲୁଟ୍ ବେଳେ ବନ୍ଧୁକ ଦେଖାଇ ଭୟଭୀତ କରୁଛନ୍ତି ଆଉ କାମ ଆଦାୟ ନହେଲେ ଗୁଳିମାଡ କରିବାକୁ ବି ପଛାଉ ନାହାଁନ୍ତି । ରାଜଧାନୀ ଉପକଂଠ ସିଜୁଆରେ ଘଟିଛି ଏଭଳି ଏକ ଲୁଟ୍ । ଜଣଙ୍କ ଘରେ ପଶି ଗୁଳିମାଡ କରି ଲୁଟେରା ଜଣକ ସୁନା ଚେନ୍ ଲୁଟିନେଇଛନ୍ତି ।

ସୂଚନା ଅନୁସାରେ, ୨୦ ତାରିଖ ଦିନ ପ୍ରାୟ ରାତି ୯ଟା ଟା ବେଳକୁ ଘର ବାରଣ୍ଡାରେ ଛିଡା ହୋଇଥିବା ଅସହାୟ ମହିଳାଙ୍କ ବେକରୁ ସୁନା ଚେନ୍ ଛଡାଇବାକୁ ଉଦ୍ୟମ କରୁଥିଲା ଦୁର୍ବୁତ୍ତ । ଗୋଟିଏ ହାତରେ ବନ୍ଧୁକ ଓ ଅନ୍ୟ ହାତରେ ଚେନ ଛିଡାଇବାକୁ ଉଦ୍ୟମ । ତେବେ ମହିଳାଙ୍କ ଚିକ୍ରାର ଶୁଣି ପାଖରେ ପଂହଚି ଥିଲେ, ସ୍ୱାମୀ ଓ ମାଆ । କିଛି ବୁଝିବା ଆଗରୁ ସ୍ୱାମୀ ବିଶ୍ୱରାଂଜନ ସ୍ୱାଇଁଙ୍କ ଉପରକୁ ଗୁଳିମାଡ କରି, ଚେନ୍ ଛିଡାଇ ଖସି ଯିବାରେ ସଫଳ ହୋଇଥିଲା ଲୁଟେରା ।

ଭୁବନେଶ୍ୱରରୁ ସପିଙ୍ଗ୍ ସାରି ନିଜ ଘର ସିଜୁଆକୁ ଫେରିଥିଲେ ସ୍ୱାମୀ ବିଶ୍ୱରଂଜନ ଓ ସ୍ତ୍ରୀ ମୋନାଲିସା । ଗାଡି ପାର୍କଂ କରିବା ପରେ, ଘର ଭିତରକୁ ଯିବା ଆଗରୁ ମୋନାଲିସାଙ୍କୁ ମୁଣ୍ଡରେ ଲାଗି ଯାଇଥିଲା ବନ୍ଧୁକ । ଜଣେ ବଳିଷ୍ଠ ଲୋକ ଚାଲାକିର ସହ ତାଙ୍କ ସହ କିଛି କଥାବାର୍ତ୍ତା ନକରି ଇସାରାର ସହ ଚେନ୍ ନେବାକୁ ଉଦ୍ୟମ କରିଥିଲା । ମୋନାଲିସାଙ୍କ ଚିକ୍ରାର ଶୁଣି ମାଆ ସ୍ୱର୍ଣ୍ଣଲତା ଓ ସ୍ୱାମୀ ଲୁଟେରାକୁ କାବୁ କରିବାକୁ ଚାହିଁଥିଲେ । ହେଲେ ବିଶ୍ୱରଂଜନଙ୍କୁ ଗୁଳିମାଡ କରି ଚେନ୍ ଛିଡାଇ ଫେରାର ହୋଇଯାଇଥିଲା ଲୁଟେରା । ଏହା ଏକ ହାଇପ୍ରୋଫାଇଲ ପ୍ରଫେସନାଲ ଗ୍ୟଙ୍ଗ ବୋଲି ପୁଲିସ ଜାଣିବାକୁ ପାଇଛି । ଲୁଟେରାଙ୍କୁ ଧରିବାକୁ ପୁଲିସ ଖୁବଶୀଘ୍ର ସ୍କେଚ୍ ଜାରି କରିବ ।

ଏହି ଘଟଣାରୁ ସ୍ପଷ୍ଟ ଅନୁମାନ କରି ହେଉଛି ଯେ ରାଜଧାନୀରେ ଏଭଳି ଗ୍ୟାଙ୍ଗ ଗୁଡିକ ବନ୍ଧୁକ ଧରି ବେଧଡକ ବୁଲୁଛନ୍ତି । ଏବଂ ଘଟଣା ଘଟିବା ପରେ, ଅପରାଧ ସାମନାକୁ ଆସୁଛି କିନ୍ତୁ ସେତେବେଳକୁ ଅପରାଧୀ ଫେରାର ହୋଇ ଯାଉଛି ।