ଚୁଟି କାଟୁ କାଟୁ ଚେନ୍ କାଟିଦେଲେ ! ଟିଭି କଳାକାରଙ୍କ କଳା କାରନାମା, ପାର୍ଲର ଖୋଲି ଚତୁରତାର ସହ ଗ୍ରାହକଙ୍କୁ କରୁଥିଲେ ଲୁଟ

46

କନକ ବ୍ୟୁରୋ : ଚୁଟି କାଟିଲେ, ଚେନ୍ ଲୁଟିଲେ  । ଗ୍ରାହକଙ୍କ ସୁନା ଚେନ୍ କାଟି ନେଇଗଲେ ପାର୍ଲର ମାଲିକ । ରାଜଧାନୀର ବାଣୀବିହାର କ୍ୟାମ୍ପସରେ ଥିବା ମଲ୍ଲିକା ବିୟୁଟି ପାର୍ଲରରେ ଆଜି ଏଭଳି ଏକ ଘଟଣା ଘଟିଛି । ଗ୍ରାହକ, ପାର୍ଲରରେ ଚୁଟି କାଟୁଥିବା ବେଳେ ପାର୍ଲରର କର୍ମଚାରୀ ତାଙ୍କ ବେକରୁ କୌଶଳ କ୍ରମେ ଚେନଟି ଲୁଟିନେଇଥିଲେ । ତେବେ ଅଭିଯୋଗ ପରେ ପୋଲିସ ପାର୍ଲର କର୍ମଚାରୀଙ୍କ ସମେତ ମାଲିକଙ୍କୁ ଗିରଫ କରିଛି ।

ପାର୍ଲରରେ ଚୁଟି କାଟିବା ବେଳେ ମହିଳାଙ୍କ ଚେନ୍ ଲୁଟ । ଏପରି ଅଭିଯୋଗରେ ବନ୍ଧା ହୋଇଛନ୍ତି ଟିଭି ସିରିଏଲ ଆଟିଷ୍ଟ । ଅଭିଯୋଗ ଅନୁସାରେ, ଅଂଜୁଶ୍ରୀ ସ୍ୱାଇଁ ନାମକ ଜଣେ ମହିଳା ଚୁଟି କାଟିବା ପାଇଁ ଟିଭି ସିରିଏଲରେ ଅଭିନୟ କରୁଥିବା ସୁକାନ୍ତି ମହାପାତ୍ରଙ୍କ ପାର୍ଲରକୁ ଆସିଥିଲେ । ଅଂଜୁଶ୍ରୀଙ୍କ ଚୁଟି କାଟୁଥିଲେ ପାର୍ଲର କର୍ମଚାରୀ ପ୍ରଜ୍ଞାନ୍ ବଲ୍ । ତେବେ ଚୁଟି କାଟି ସାରିବା ପରେ, ଅଂଜୁଶ୍ରୀଙ୍କ ଯେତେବେଳେ ତାଙ୍କ ବେକକୁ ଚାହିଁଥିଲେ, ତାଙ୍କ ମୁଣ୍ଡ ଘୁରି ଯାଇଥିଲା । କାରଣ ସେତେବେଳକୁ ସେ ପିନ୍ଧିଥିବା ସୁନା ଚେନ୍ ଗାଏବ ହୋଇଯାଇଥିଲା । ଚେନ୍ କୁଆଡେ ଗଲା ପଚାରିବାରୁ ଅଂଜୁଶ୍ରୀଙ୍କୁ ଦିଆଯାଇଥିଲା ଧମକ । ଶେଷରେ ସହିଦନଗର ଥାନାରେ ଫେରାଦ ହୋଇଥିଲେ ଅଂଜୁଶ୍ରୀ । ପାର୍ଲର ମାଲିକ ଓ ତାଙ୍କ ସହଯୋଗୀକୁ ଥାନାକୁ ଉଠାଇ ଆଣିଥିଲା ପୁଲିସ ।

ପୁଲିସ ଆଗରେ ଧରା ପଡି ଯାଇଥିଲା କଳାକାରଙ୍କ କଳା କାରନାମା । ଆଉ ପଦାକୁ ଆସିଥିଲା ସୁନା ଚେନ୍୍ ଲୁଟର ରହସ୍ୟ । ପାର୍ଲର ଭିତରେ ଏପରି ଚୋରି, ସାରା ରାଜଧାନୀରେ ସୃଷ୍ଟି କରିଛି ଚାଂଚଲ୍ୟ । ପାର୍ଲର ମାଲିକ ସୁକାନ୍ତି ମହାପାତ୍ର ଏବଂ ତାଙ୍କ ପାର୍ଲର କର୍ମଚାରୀ ପ୍ରଜ୍ଞାନ ବଲଙ୍କୁ ଗିରଫ କରିଛି ପୋଲିସ ।