ବକେୟା ବିଲ୍ ଦେଇନଥିବାରୁ ପାନୀୟ ଜଳ ପ୍ରକଳ୍ପରୁ ବିଜୁଳି କାଟିଲା ସେସୁ । ୪ ଦିନ ହେଲା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଢ଼େଙ୍କାନାଳ କିର୍ତ୍ତନପୁର ଗାଁର ୫ ଶହ ପରିବାର

383

କନକ ବ୍ୟୁରୋ: ସେସୁ ବିଜୁଳି କାଟର ସାଇଡ୍ ଇଫେକ୍ଟ । ବକେୟା ବିଲ୍ ଦେଇନଥିବାରୁ ପାନୀୟ ଜଳ ପ୍ରକଳ୍ପରୁ ବିଦୁତ୍ କାଟିଲା ସେସୁ । ୪ ଦିନ ହେଲା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କିର୍ତ୍ତର୍ନପୁର ଗାଁର ୫ ଶହ ପରିବାର ।

ସୂଚନା ଅନୁଯାୟୀ ଏହି ଗାଁକୁ ୨୦୧୪ରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପିଇବା ପାଣି ଯୋଗାଇ ଦିଆଯାଉଛି । ବୋରୱେଲ ଖୋଳାଯାଇ ଗ୍ରାମରେ ପାଇପ୍ ବିଛା ଯାଇ ବିଭିନ୍ନ ସ୍ଥାନରେ ପାଇପ୍ ପୋଷ୍ଟ ଦ୍ୱାରା ପାଣି ଯୋଗାଇ ଦିଆଯାଉଛି । କିନ୍ତୁ ପ୍ରାୟ ୨୦ ହଜାର ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ଥିବାରୁ ୧୫ ତାରିଖ ସୁଧା ଏହି ବିଲକୁ ପଇଠ କରିବାକୁ ସେସୁ ନିର୍ଦ୍ଦେଶ ଦେଇଥିଲା । ହେଲେ ବିଲ୍ ପଇଠ ନହେବାରୁ ବିଦ୍ୟୁତ୍ ସଂଯୋଗ କାଟି ଦେଇଛନ୍ତି ସେସୁ କର୍ମଚାରୀ ।

ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବା ପରେ ଏହି ପ୍ରକଳ୍ପଟି ଏକପ୍ରକାର ଅଚଳ ହୋଇପଡିଛି । ଫଳରେ ଗ୍ରାମାବାସୀମାନେ ପିଇବା ପାଣି ପାଇ ହନ୍ତସନ୍ତ ହେଉଛନ୍ତି । ସପ୍ଲାଏ ପାଣି ଉପରେ ନିର୍ଭର କରୁଥିବାରୁ ଗାଁରେ ଥିବା କୂଅ ପରିତ୍ୟକ୍ତ ଅବସ୍ଥାରେ ରହିଛି । ସେହିପରି ନଳକୂପରୁ ମଇଳା ପାଣି ବାହାରୁଛି । ତେବେ ଲୋକମାନେ ବାଧ୍ୟହୋଇ ଏହି ମଇଳା ପାଣି ପଉଛନ୍ତି । ଯାହାକୁ ନେଇ ପୁରା ଗାଁରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।