ଯାଜପୁରରେ ଜାଲ ସାର୍ଟିଫିକେଟ୍ ରାକେଟ ସକ୍ରିୟ ! ନକଲି ପ୍ରମାଣପତ୍ର ଦେଇ ନିଯୁକ୍ତି ପାଉଛନ୍ତି ଠକ

67

କନକବ୍ୟୁରୋ: ଜାଲ ସାର୍ଟିଫିକେଟ୍ ଜାଲରେ ଯାଜପୁର । ଯାଜପୁର ଜିଲ୍ଲାରେ ସକ୍ରିୟ ହୋଇ ଉଠିଛନ୍ତି ନକଲି ସାର୍ଟିଫିକେଟ୍ ଦଲାଲ । ଟଙ୍କା ବଦଳରେ ଯୋଗାଇ ଦେଉଛନ୍ତି ଜାଲ୍ ସାର୍ଟିଫିକେଟ୍ । ଆଉ ତାକୁ ଦେଖାଇ ବିଭିନ୍ନ ନିଯୁକ୍ତି ପାଉଛନ୍ତି ଠକ । କଳିଙ୍ଗନଗରରେ ଥିବା ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ଏନେଇ ଜଖପୁର ଥାନାରେ ଅଭିଯୋଗ କରାଯିବା ପରେ ଖୋଳତାଡ ଆରମ୍ଭ କରିଛି ପୋଲିସ୍ । ଆଉ ୨ଜଣଙ୍କୁ ଗିରଫ କରିଛି ପୋଲିସ୍ ।

ଯାଜପୁର ଜିଲ୍ଲା କଳିଙ୍ଗନଗରରେ ସକ୍ରିୟ ହୋଇ ଉଠିଛନ୍ତି ଜାଲ ସାର୍ଟିଫିକେଟ୍ ରାକେଟ । ତାଲିମପ୍ରାପ୍ତ ଯୁବକମାନେ ଚାକିରୀ ଖଣ୍ଡେ ପାଇଁ ବାରଦୁଆର ହେଉଥିବାବେଳେ ଏହି ଜାଲ୍ ସାର୍ଟିଫିକେଟ ସହାୟତାରେ ନିଯୁକ୍ତି ପାଉଛନ୍ତି ଅଣତାଲିମପ୍ରାପ୍ତ ଯୁବକ । ଆଉ ନକଲି ସାର୍ଟିଫିକେଟ୍ ଯୋଗାଇ ଦେଇ ମାଲାମାଲ ହେଉଛନ୍ତି ଦଲାଲ । କଳିଙ୍ଗନଗର ଶିଳ୍ପାଂଚଳରେ ଥିବା ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ୍ କାରଖାନା କର୍ତୁପକ୍ଷ ଜାଲ୍ ସାର୍ଟିଫିକେଟ୍ ନେଇ ଯଖପୁରା ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ସାମନାକୁ ଆସିଛି । ପୋଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିବା ସହ ୨ଜଣ ଦଲାଲଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ କମ୍ପୁଟର, ପ୍ରିଂଟର ଓ ଅନେକ ନକଲି ସାର୍ଟିଫିକେଟ୍ ଜବତ କରିଛି ପୋଲିସ୍ ।

ଜାଲିଆତିର ଚେର ଲମ୍ବିଛି ଢ଼େଙ୍କାନାଳରୁ କଳିଙ୍ଗନଗର । ଏହାର ପର୍ଦାଫାସ କରିଛି ପୋଲିସ୍ । ଏବଂ ଆଗକୁ ତଦନ୍ତ ଅଗ୍ରଗତି କଲେ ଆହୁରି ଅଧିକ ତଥ୍ୟ ସାମନକୁ ଆସିବ ବୋଲି କହିଛି ପୋଲିସ୍ । ତେବେ ଏହି ଜାଲିଆତିରେ ବହୁ ଅଧିକାରୀ ଓ କର୍ମଚାରୀଙ୍କର ସମ୍ପୃକ୍ତି ଥିବା ଅନୁମାନ କରିଛନ୍ତି ବୁଦ୍ଧିଜୀବି । ତେଣୁ ଏହି ମାମଲାର କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ କରିବା ସହ ଦଲାଲ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଶ୍ରମିକ ନେତା । ତେବେ ପ୍ରଶ୍ନ ଉଠୁଛି ଜାଲ ସାର୍ଟିଫିକେଟ ଦେଇ କେବଳ କମ୍ପାନୀରେ ନିଯୁକ୍ତି ମିିଳିଛି ନାଁ ସରକାରୀ କ୍ଷେତ୍ରରେ ମଧ୍ୟ ଠକଙ୍କୁ ମିଳିଛି ଚାକିରୀ? ଯଦି ସେପରି ହୋଇଥାଏ ତେବେ ସାଂଘାତିକ ।