ବିଦେଶକୁ ଅଜ୍ଞାତବାସରେ ଆଉ ଯାଇପାରିବେ ନାହିଁ ରାହୁଲ ଗାନ୍ଧୀ । ବଦଳିଲା ଏସପିଜି ସୁରକ୍ଷା ବ୍ୟବସ୍ଥା, ବିଦେଶ ଗଲେ ସାଙ୍ଗରେ ଯିବେ ଏସପିଜି ଗାର୍ଡ ।

270

କନକ ବ୍ୟୁରୋ : ବିଦେଶରେ ଅଜ୍ଞାତବାସରେ ରହିପାରିବେ ନାହିଁ ଗାନ୍ଧୀ ପରିବାର । ମୋଦି ସରକାର ବଦଳାଇଛନ୍ତି ୭ଏସପିଜି ସୁରକ୍ଷା ନିୟମ । ଏସପିଜି ସୁରକ୍ଷାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ଏବେ ପ୍ରଧାନମନ୍ତ୍ରୀ ଓ ଗାନ୍ଧୀ ପରିବାରଙ୍କୁ ମିଳୁଛି ଏସିପିଜି ସୁରକ୍ଷା । ଏଣିକି ଏସପିଜି ସୁରକ୍ଷା ପାଉଥିବା ଭିଭିଆଇପି ବିଦେଶ ଗଲେ ମଧ୍ୟ ସାଙ୍ଗରେ ଯିବେ ଏସପିଜି ଯବାନ । ତେଣୁ ରାହୁଲଙ୍କ ଗସ୍ତ ଆଉ ପୂର୍ବଭଳି ଗୋପନୀୟ ହୋଇ ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି ।

ରାହୁଲଙ୍କ ଅଜ୍ଞାତବାସରେ ଅଙ୍କୁଶ ? ବଦଳିବ ଏସପିଜି ସୁରକ୍ଷା ନିୟମ । କେନ୍ଦ୍ର ସରକାର ଏସପିଜି ବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ସୁରକ୍ଷାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଣିକି ଏସପିଜି ସୁରକ୍ଷା ପାଉଥିବା ବ୍ୟକ୍ତି ବିଦେଶ ଗଲେ ମଧ୍ୟ ତାଙ୍କ ସାଙ୍ଗରେ ରହିବ ଏସପିଜି ଟିମ୍ । କେନ୍ଦ୍ର ଗୃହମନ୍ତ୍ରାଳୟର ଏହି ନିଷ୍ପତିକୁ ରାହୁଲ ଗାନ୍ଧୀ ଓ ଗାନ୍ଧୀ ପରିବାରର ଅନ୍ୟ ସଦସ୍ୟଙ୍କ ବିଦେଶ ଗସ୍ତ ସହ ଯୋଡି ଦେଖାଯାଉଛି । କାରଣ ପୂର୍ବରୁ ବ୍ୟକ୍ତିଗତ ଯାତ୍ରା କହି ଏୟାରପୋର୍ଟରୁ ଏସପିଜି ଟିମ୍ ଫେରାଇ ଦେଉଥିଲେ ଗାନ୍ଧୀ ପରିବାର । ହେଲେ ଏବେ ଦିଲ୍ଲୀରୁ ବିଦେଶ ଗସ୍ତ ଓ ବିଦେଶରୁ ଭାରତ ଫେରିବା ଯାଏଁ ଏସପିଜି ଯବାନ ତାଙ୍କ ସାଙ୍ଗରେ ରହିବେ ।

ନିର୍ବାଚନ ସରିବା ପରେ ରାହୁଲ ଗାନ୍ଧୀ ବହୁ ଦିନ ଧରି ଗାଏବ ହୋଇଯିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସିଛି । ରାହୁଲ କୁଆଡେ ଯାଆନ୍ତି, ଦଳ ପାଖରେ ତାର ଖବର ନ ଥାଏ । ବିଜେପି ଏହାକୁ ଟାର୍ଗେଟ୍ କରୁଥିବା ବେଳେ ବ୍ୟକ୍ତିଗତ ଗସ୍ତ କହି ଏଡାଇ ଯାଇଥାଏ କଂଗ୍ରେସ ।

ଏବେ ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ବିଦେଶ ଯାଇଛନ୍ତି । ହେଲେ ସେ ଏବେ କେଉଁଠି, କାହା ପାଖରେ ଠୋସ ଖବର ନାହିଁ । ଅନ୍ୟପଟେ ଏହି ନିୟମ ଜରିଆରେ ଗାନ୍ଧୀ ପରିବାର ଉପରେ ସରକାର ନଜର ରଖିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ବିଦେଶ ଗସ୍ତ ବେଳେ ଦେଶର ଭିଭିଆଇପି ନେତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏପରି କଡା ଆଭିମୁଖ୍ୟ ଆପଣେଇଥିବା ସ୍ପଷ୍ଟ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ତେବେ ଗାନ୍ଧୀ ପରିବାର ପରିବର୍ତ୍ତିତ ଏସପିଜି ନିୟମ ମାନିବାକୁ ସମ୍ମତି ଜଣାଇଥିବା ସୂଚନା ମିଳିଛି ।

ତେବେ ଆସନ୍ତୁ ଜାଣିବା, କିଏ ପାଆନ୍ତି ଏସପିଜି ସୁରକ୍ଷା ? ୪ ଭିଭିଆଇପିଙ୍କୁ ଏସପିଜି ସୁରକ୍ଷା । ଏସପିଜି ସୁରକ୍ଷା ଦେଶର ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଯୋଗାଇ ଦିଆଯାଏ । ଏବେ ଏହି ସୁବିଧା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗାନ୍ଧୀ ପରିବାରକୁ ମିଳୁଛି । ଏଥିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଏ । ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଏସପିଜି ସୁରକ୍ଷା ଦିଆଯାଉଥିଲା । କିଛି ଦିନ ହେଲା ଏସପିଜି ସୁରକ୍ଷା ହଟାଇ ତାଙ୍କୁ ଏବେ ଜେଡପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଛି । ଦେଶର ଶ୍ରେଷ୍ଠ ଯବାନଙ୍କୁ ନେଇ ଗଠିତ ହୋଇଥାଏ ଏସପିଜି ଟିମ୍ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଯବାନ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥାନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶର ଭିଭିଆଇପିଙ୍କ ସୁରକ୍ଷା ପାଇଁ ଦେଶରେ ଗଠନ କରାଯାଇଥିଲା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ।