ପୁଣି ବିଜେଡି ମୁହଁରେ କେନ୍ଦ୍ର ଅବହେଳା ପ୍ରସଙ୍ଗ: ଧାନର ଏମଏସପି ବୃଦ୍ଧି ନେଇ ଓଡିଶାର ଦାବିକୁ ଅଣଦେଖା ।

248

କନକ ବ୍ୟୁରୋ : ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଛି ବିଜେଡି । ଧାନ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛି ଦଳ । ଗତକାଲି ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ କ୍ୟାବିନେଟ ସବକମିଟି ବୈଠକରେ ଗହମ ଓ ଡାଲି ଜାତୀୟ ଶସ୍ୟ୍ର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଥିଲା । କିନ୍ତୁ ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ଓଡିଶାର ଦାବିକୁ କେନ୍ଦ୍ର ଗ୍ରହଣ କରିନଥିବାରୁ ବର୍ଷିଛି ବିଜେଡି । ଏଥିରୁ କେନ୍ଦ୍ରର ବିଜେପି ସରକରାଙ୍କ ଓଡିଶା ପ୍ରତି ବୈମାତୃକ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ଦଳ ଅଭିଯୋଗ କରିଛି ।

ଦଳ କହିଛି, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ପାଇଁ କେନ୍ଦ୍ରର ଦରଦ ଅଛି । କିନ୍ତୁ ଓଡିଶା ପ୍ରତି ନାହିଁ । ଓଡିଶା ବିଧାନସଭାର ସର୍ବସମ୍ମତ ପ୍ରସ୍ତାବ ଓ ରାଜ୍ୟର ଧାନଚାଷୀଙ୍କ ସ୍ୱାର୍ଥରକ୍ଷା ପାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବଢାଇବାକୁ କେନ୍ଦ୍ର ନିକଟରେ ବାରମ୍ବାର ଦାବି ହୋଇଆସୁଥିଲେ ବି ଏହାକୁ ଅଣଦେଖା କରାଯାଉଛି । ଚାଷୀକୂଳ ପ୍ରତି ଏହା ଚରମ ଅଣଦେଖା । ଦଳ କହିଛି ଆଗାମୀ ଦିନରେ ଏହା ବିରୋଧରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ।