ଏୟାର ଓଡ଼ିଶାକୁ ବିମାନଚଳାଚଳ ମନ୍ତ୍ରାଳୟର କାରଣ ଦର୍ଶାଅ ନୋଟିସ୍ ! ଝାରସୁଗୁଡ଼ାକୁ ବିମାନ ଉଡାଣ ନେଇ ଜବାବ୍ ମାଗିଲା ମନ୍ତ୍ରାଳୟ ।

60

କନକ ବ୍ୟୁରୋ : ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଦୀର୍ଘ ଦିନ ହେଲା ଏଠାରୁ କୌଣସି ବିମାନ ଉଡାଣ କରୁ ନାହିଁ । ଏହାକୁ ନେଇ ସ୍ଥାନୀୟ ବିଧାୟକ ନବ ଦାସ ଅନଶନରେ ବସିଥିବା ବେଳେ ଏହି ଘଟଣାରେ ନୂଆ ମୋଡ ଆସିଛି । ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏଠାରୁ ଉଡାଣ କରୁଥିବା ଏୟାର ଓଡିଶାକୁ କାରଣ ଦର୍ଶାଅ ନୋଟିସ୍ କରାଯାଇଛି । ବୈଷୟିକ ସମସ୍ୟା ଦର୍ଶାଇ ଝାରସୁଗୁଡାରୁ ବିମାନ ଉଡାଣ ବନ୍ଦ ରହିଛି ।

ଉଡାଣ ଯୋଜନାରେ ଏୟାର ଓଡିଶାକୁ ଏଠାରୁ ଉଡାଣ ପାଇଁ ଅନୁମତି ଥିବା ବେଳେ କାହିଁକି ବିମାନ ଉଡାଣ କରୁ ନାହିଁ ଜଣାଇବାକୁ ମନ୍ତ୍ରାଳୟ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଧାର୍ଯ୍ୟ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ ଏହି କମ୍ପାନୀର ଉଡାଣ ଅନୁମତି ବାତିଲ କରାଯିବ ବୋଲି ଚେତାଇ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏହା ଛଡା ଯୋଗ୍ୟ କମ୍ପାନୀଙ୍କୁ ଉଡାଣ ପାଇଁ ଅନୁମତି ଦିଆଯିବ ବୋଲି ମନ୍ତ୍ରାଳୟ ଟ୍ୱିଟ୍ କରିଛି । ଉଡାଣ ବନ୍ଦ ହେବାରୁ ସଂପୂର୍ଣ୍ଣ ବିମାନ ବନ୍ଦର ମାନ୍ୟତା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ତେବେ ଝାରସୁଗୁଡା ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ବିମାନ ବନ୍ଦର ବୋଲି ପୁଣି ଥରେ ସ୍ପଷ୍ଟ କରି ଦେଇଛି ମନ୍ତ୍ରାଳୟ । ଫଳରେ ଖଣ୍ଡି ଉଡା ମାରୁଥିବା ଏୟାର ଓଡିଶା ପକ୍ଷଛେଦନ ହେବା ସମ୍ଭାବନା ସୃଷ୍ଟି ହୋଇଛି ।