ନମ୍ରତାର ସହ ୟୁଏଇରର ସହାୟତକୁ ପ୍ରତ୍ୟାଖାନ କଲା ଭାରତ : ଦେଶରେ ନିଜସ୍ୱ ଅର୍ଥରେ ବନ୍ୟା ମୁକାବିଲା ହେବ ବୋଲି କହିଲେ କେନ୍ଦ୍ର ସରକାର

39

କନକ ବ୍ୟୁରୋ : ୟୁଏଇର  ୭୦୦ କୋଟି ଟଙ୍କାର ସହାୟତାକୁ ନମ୍ରତାର ସହ ପ୍ରତ୍ୟାଖ୍ୟାନ କଲେ ଭାରତ ସରକାର । ଦେଶର ନିଜସ୍ୱ ଅର୍ଥରେ ବନ୍ୟା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସରକାର ନେଲେ ନିଷ୍ପତି । କେରଳରେ କମୁଛି ବନ୍ୟାପାଣି, ହେଲେ ବଢୁଛି ଦୁର୍ଦ୍ଦଶା । ପାଣି ଛାଡୁଥିବାବେଳ ବନ୍ୟା ବିପନ୍ନଙ୍କୁ ଏବେ ଘାରିଛି ସଂକ୍ରମଣର ଭୟ । ସେପଟେ କେରଳରେ ଜଳ ପ୍ରଳୟ ହେବା ପରେ ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ବିଦେଶୀ ରାଷ୍ଟ୍ର ସହଯୋଗ ପାଇଁ ଘୋଷଣା କରିଥିଲେ । ଏଥିରେ ସାଉଦି ଆରବର ୭୦୦ କୋଟି ଟଙ୍କା ଓ ମାଳଦ୍ୱୀପର ୩୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରହିଥିଲା । ଦୀର୍ଘ ୧୫ବର୍ଷ ଧରି ଘରୋଇ ବିପତିକୁ ସରକାର ନିଜସ୍ୱ ଅର୍ଥରେ ହିଁ ମୁକାବିଲା କରୁଛନ୍ତି । ଏହି ନୀତି ଆଧାରରେ ବିଦେଶୀ ସହୟତା ଗ୍ରହଣ ନ କରିବାକୁ ନିଷ୍ପତି ନିଆଯାଇଛି । ୨୦୧୩ ମସିହା ଉତରାଖଣ୍ଡ ବନ୍ୟାରେ ମଧ୍ୟ ତକ୍ରାଳୀନ ୟୁପିଏ ସରକାର ବିଦେଶୀ ସହାୟତାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ସେପଟେ କେରଳରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ବର୍ଷା କମିଛି, ବନ୍ୟା ପାଣି ବି ଖସିବାରେ ଲାଗିଛି । କିନ୍ତୁ ଏହାରି ଭିତରେ ବଢ଼ିଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା । ବର୍ତ୍ତମାନ ସମୟରେ କେରଳରେ ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି ମହାମାରୀ ବ୍ୟାପିବା ଏବଂ ବିଷାକ୍ତ ସାପ ଓ କୁମ୍ଭୀରଙ୍କ ଆତଙ୍କ । ବନ୍ୟା ପାଣି ସହ ବଡ ବଡ ବିଷାକ୍ତ ସାପ ଜନସବତି ଆଡକୁ ଚାଲିଆସିଛନ୍ତି । କେରଳରେ ବିଷାକ୍ତ ସାପ କାମୁଡାରେ ଏପର୍ଯ୍ୟନ୍ତ ୭୦ଜଣ ପ୍ରାଣ ହରାଇଥିବା ସୂଚନା ରହିଛି । ତେବେ ଏସବୁ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଷାକ୍ତ ସାପ ଉଦ୍ଧାର କରାଯାଇଛି ।