ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ କ୍ୟାବିନେଟ ମଂଜୁରୀ : ୩ ବର୍ଷ ଭିତରେ ନିଷ୍ପତ୍ତି ନେବ ଟ୍ରିବ୍ୟୁନାଲ

43

କନକ ବ୍ୟୁରୋ : ଓଡିଶା-ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ଲାଗି ଗଠନ ହେବ ଟ୍ରିବ୍ୟୁନାଲ । ଟ୍ରିବ୍ୟୁନାଲ ଗଠନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ଛତିଶଗଡ଼ ଠାରେ ମହାନଦୀର ଉପର ମୁଣ୍ଡରେ ସେଠାକାର ରାଜ୍ୟ ସରକାର ଏକାଧିକ ଜଳଭଣ୍ଡାର ନିର୍ମାଣ ଆରମ୍ଭ କରିଥିବାରୁ ଓଡ଼ିଶା ପ୍ରତି ଜଳ ସଙ୍କଟ ଉପୁଜିବାର ସମ୍ଭାବନା ଦେଖା ଦେଇଥିଲା ।  ନିର୍ମାଣକୁ ବିରୋଧ କରିବା ସହ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଉପୁଜି ଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯିବାକୁ ଓଡ଼ିଶା ସରକାର ଦାବି କରିଥିଲେ । ଟ୍ରିବ୍ୟୁନାଲଗଠନ କରାଯିବା ନିମନ୍ତେ ନିକଟରେ ସୁପ୍ରିମ୍ କୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ । ଜଳବିବାଦ ସମାଧାନ ପାଇଁ ଇତି ମଧ୍ୟରେ ଟ୍ରିବ୍ୟୁନାଲକୁ ଗଠନ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି । ଆଜି ଉକ୍ତ ଟ୍ରିବ୍ୟୁନାଲ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଛି । ମହାନଦୀ ଜଳ ବିବାଦ ଆଇନ-୧୯୫୬ ଆଧାରରେ ଏହି ଟ୍ରିବ୍ୟୁନାଲ ଗଠନ ହେବ । ବିବାଦ ନେଇ ୩ ବର୍ଷ ଭିତରେ ରିପୋର୍ଟ ଦେବ ଟ୍ରିବ୍ୟୁନାଲ । ଆବଶ୍ୟକ ପଡିଲେ ଆଉ ୨ ବର୍ଷ ବଢିପାରେ ଟ୍ରିବ୍ୟୁନାଲର କାର୍ଯ୍ୟର୍କାଳ । ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଓ ଦୁଇଜଣ ସଦସ୍ୟ ରହିବେ ।

ଏମାନଙ୍କୁ ସୁପ୍ରିମକୋର୍ଟ ବାଛିବେ । ମହାନଦୀ ଜଳ ବିବାଦ ନେଇ ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ବି ଏ ନେଇ କେନ୍ଦ୍ରକୁ ଚିଠି ଲେଖିଥିଲେ । ଜାନୁୟାରୀ ୨୩ ତାରିଖରେ ସୁପ୍ରିମକୋର୍ଟ ମାସେ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଟ୍ରିବ୍ୟୁନାଲ ଗଠନକୁ ବିଜେଡି ସ୍ୱାଗତ କରିଛି । ବିଳମ୍ବରେ ହେଲେ ବି ଟ୍ରିବ୍ୟୁନାଲ ଗଠନ ହେଲା । ନ୍ୟାୟିକ ହସ୍ତକ୍ଷେପ ଯୋଗୁଁ ଟ୍ରିବ୍ୟୁନାଲ ଗଠନ ସମ୍ଭବ ହେଲା । ମହାନଦୀ ଉପରମୁଣ୍ଡରେ କାମ ବନ୍ଦ କରିବାକୁ ଓଡିଶାର ଦାବି ରହିଛି ବୋଲି ବିଜେଡି କହିଛି ।