ଜମ୍ମୁ ଓ କଶ୍ମୀର ପୁଲିସଙ୍କ ପାଇଁ ବୁଲେଟପ୍ରୁଫ୍‌ ଗାଡ଼ି ଓ ଜ୍ୟାକେଟ୍‌ ! ଅର୍ଥ ମଞ୍ଜୁର କଲା କେନ୍ଦ୍ର ସରକାର

22

କନକ ବ୍ୟୁରୋ : ଜମ୍ମୁ ଓ କଶ୍ମୀର ପୁଲିସ ଅଧିକାରୀଙ୍କ ନିମନ୍ତେ ବୁଲେଟ୍‌ ପ୍ରୁଫ୍‌ ଯାନବାହନ ଖରିଦ କରିବାକୁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛି ବୋଲି ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ଏହା ଛଡ଼ା ଯବାନମାନଙ୍କ ପାଇଁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ନିମନ୍ତେ ମଧ୍ୟ ଅର୍ଥ ଦିଆଯାଇଛି ବୋଲି ଅନନ୍ତନାଗ ଜିଲ୍ଲାରେ ସିଆର୍‌ପିଏଫ୍‌ ଅଧିକାରୀ ଏବଂ ପୁଲିସ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବାବେଳେ ସେ କହିଛନ୍ତି ।

ଜୁନ୍‌ ୧୬ ତାରିଖ ଦିନ ଅନନ୍ତନାଗର ଆଚାବାଲ୍‌ ଅଞ୍ଚଳରେ ଏସ୍‌ଏଚ୍‌ଓ ଫିରୋଜ ଅହମଦ୍‌ଙ୍କ ସମେତ ଛଅ ଜଣ ପୁଲିସ ମରିବା ଯୋଗୁଁ ଏହି ଘୋଷଣା କରାଯାଇଛି । ନିହତ ଏସ୍‌ଏଚ୍‌ଓ ଏକ ବୁଲେଟ୍‌ପ୍ରୁଫ୍‌ ଗାଡ଼ି ପାଇଁ ଲେଖିଥିଲେ କିନ୍ତୁ, ତାହା ମିଳି ନ ଥିଲା । ଅଗଷ୍ଟ ୨୮ ତାରିଖ ଦିନ ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳି ଚୋଟରେ ମୃତପ୍ରାୟ ଆହତ ହୋଇ ସହିଦ ହୋଇଥିବା ଏଏସ୍‌ଆଇ ଅବ୍‌ଦୁଲ୍‌ ରଶୀଦଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରଶୀଦଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଝିଅ ଜୋହରାର ହୃଦ ଚହଲା କ୍ରନ୍ଦନ ଚିତ୍ର ତାଙ୍କୁ ଦୁଃଖ ଦେଇଥିଲା ବୋଲି ରାଜନାଥ କହିଥିଲେ ।