ଘଂଚ ଜଙ୍ଗଲ ନୁହେଁ ଲାଲ ବାହିନୀର ନୂଆ ଟାର୍ଗେଟ ଛୋଟ ସହର ଓ ବସ୍ତି ଅଂଚଳ ! ରାଜ୍ୟକୁ କେନ୍ଦ୍ର କଲା ସତର୍କ

2

ଘଂଚ ଜଙ୍ଗଲ କିମ୍ବା ପଛୁଆ ଇଲାକା ନୁହେଁ, ଏଣିକି ସହରରେ ନିଜ ନେଟୱାର୍କ ବଢାଇବାକୁ ରଣନୀତି ତିଆରି କରୁଛନ୍ତି ଲାଲବାହିନୀ । ପ୍ରତିକୂଳ ପରିସ୍ଥିତି ମାଓବାଦୀଙ୍କୁ ବିକଳ୍ପ ଖୋଜିବାକୁ ମାଧ୍ୟମ କରୁଛି । ପଛୁଆ ଇଲାକାରେ ମାଓ ସଂଗଠନରେ ସାମିଲ ହେବାକୁ କିମ୍ବା ସମର୍ଥନ ଦେବାକୁ ଲୋକ ପଛଘୁଂଚା ଦେଉଛନ୍ତି । ତେଣୁ ଲାଲବାହିନୀ ଛୋଟ ଛୋଟ ସହର ଓ ବସ୍ତି ଅଂଚଳରେ ନିଜ ସଂଗଠନ ପ୍ରତି ଲୋକଙ୍କ ଆଗ୍ରହ ବଢାଇବାକୁୁ ଉଦ୍ୟମ କରୁଥିବା ଗୁଇନ୍ଦା ସୁତ୍ରରୁ ସୂଚନା ମିଳିଛି ।

ମାଓବାଦୀ ବିରୋଧୀ ଅଭିଯାନରେ ସାମିଲ ଥିବା କିଛି ବରିଷ୍ଠ ଅଧିକାରୀ ଲାଲ ବାହିନୀର ଏହି ଯୋଜନା ନେଇ ସୁରାଗ୍ ପାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଆଦିବାସୀ ଇଲାକାର ଯୁବଗୋଷ୍ଠୀ ଧୀରେ ଧୀରେ ନିଜକୁ ମାଓ ସଂଗଠନରୁ ଦୂରେଇ ନେଉଛନ୍ତି । ଏପରିକି ସେସବୁ ଅଂଚଳରେ ସୁରକ୍ଷାକର୍ମୀ ମୁତୟନ ଓ ଲଗାତର ଅପରେସନ ସଂଗଠନକୁ ଦୁର୍ବଳ କରିଦେଲାଣି । ତେଣୁ ବାଧ୍ୟ ହୋଇ ଲାଲବାହିନୀ ବିକଳ୍ପ ଖୋଜିବାକୁ ବାଧ୍ୟ ହେଉଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥଳେ ଛୋଟ ସହର ଓ ବସ୍ତି ଅଂଚଳକୁ ଟାର୍ଗେଟ କରୁଥିବା ଗୁଇନ୍ଦା ରିପୋର୍ଟରୁ ତଥ୍ୟ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ମାଓ ଆଦର୍ଶ ପ୍ରତି ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବାକୁ ବ୍ଲୁ-ପ୍ରିଂଟ ରଚାଯାଇଛି । ନିଜର ସିକ୍ରେଟ ସେଲ୍ ମାଧ୍ୟମରେ ସବୁବେଳେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଲକ୍ଷ ରଖିଥିବା ମାଓ ସଂଗଠନ କେତେ ସଫଳ ହୋଇଛନ୍ତି ତାହା ବିତର୍କର ବିଷୟ ହେଲେ ଏବେ ନିଜର ନେଟୱାର୍କ ବ୍ୟାପ୍ତ କରିବାକୁ ଯେଉଁ ପଦ୍ଧତି ସେମାନେ ଆପଣାଉଛନ୍ତି ତାହା ନିଶ୍ଚିତ ପକ୍ଷେ ଚିନ୍ତାର ବିଷୟ ହୋଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ମାଓବାଦୀ ପ୍ରଭାବିତ ରାଜ୍ୟ ସରକାରଙ୍କୁ ଏନେଇ ସତର୍କ ରହିବାକୁ କହିଥିବା ଜଣାପଡିଛି । ମାଓବାଦୀଙ୍କ ତରଫରୁ ହେଉଥିବା କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ସୂଚନା ଅନୁସାରେ, ସହରାଂଚଳରେ ଲୋକଙ୍କୁ ପ୍ରଭାବିତ କରି ନିଜ ଆଦର୍ଶ ଓ ସାଧାରଣ ପ୍ରସଙ୍ଗକୁ ଲୋକଙ୍କ ଭିତରେ ବ୍ୟାପ୍ତ କରିବାକୁ ସଂଗଠନ ପକ୍ଷରୁ ଉଦ୍ୟମ କରୁଥିବା ଜଣାପଡିଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସହରାଂଚଳରେ ବିଭିନ୍ନ ବ୍ୟକ୍ତିବିଶେଷ ତଥା ମାଓ ଆଦର୍ଶ ସହ ନିଜକୁ ସାମିଲ କରାଉଥିବା ବ୍ୟକ୍ତି ଏହାର ସୁତ୍ରଧର । ଏପରିକି ମାଓ କାର୍ଯ୍ୟକଳାପ ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ଆଶ୍ରୟ ଦେବା ସହ ଏମାନେ ସଂଗଠନକୁ କିଭଳି ବାହ୍ୟ ସମର୍ଥନ ଦିଆଯାଇ ପାରିବ ସେନେଇ ମଧ୍ୟ କାର୍ଯ୍ୟ କରିଥାନ୍ତି ।

ସହରାଂଚଳରେ ମାଓବାଦୀଙ୍କ ଗତିବିଧି କିଛି ନୂଆ କଥା ନୁହେଁ । ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା ବ୍ରହ୍ମପୁରରୁ ଗିରଫ ହୋଇଥିବା ବେଳେ ପୋଲିସ ଗୁଳିରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ସନ୍ଦିଗ୍ଧ ମାଓବାଦୀ ପୋଲିସ ଜାଲରେ ପଡିଥିଲେ । ସେହିଭଳି ୨୦୦୮ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଦୁଇ ମାଓବାଦୀ ଗିରଫ ହୋଇଥିଲେ । ଯାହା ଦର୍ଶାଉଥିଲା ସହରାଂଚଳରେ ମାଓବାଦୀଙ୍କ ଉପସ୍ଥିତି ତଥା ଏହାର ଆଦର୍ଶରେ ବିଶ୍ୱାସ କରୁଥିବା ବ୍ୟକ୍ତି ବିଶେଷଙ୍କ ଲୁଚାଛପା କାରବାର । ଆଉ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସତର୍କ ରହିବାକୁ ପରାମର୍ଶ, ରାଜ୍ୟ ପୋଲିସ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Comments are closed.