କେଉଁଠିି ରହିବ ସୁନ୍ଦରୀ, ଦ୍ୱନ୍ଦ୍ୱରେ ରାଜ୍ୟ ସରକାର । ଏନଟିସିଏକୁ ଚିଠି ଲେଖିବା ସତ୍ୱେ ମିଳୁନାହିଁ ଜବାବ

ନନ୍ଦନକାନନ ପଠାଇବା ପାଇଁ ବିଶେଷଜ୍ଞଙ୍କ ପ୍ରସ୍ତାବ

102

କନକ ବ୍ୟୁରୋ: ଟ୍ରାଙ୍କୁଲାଇଜ ହୋଇ ଧରାପଡିବା ପରେ ବର୍ତମାନ ଏନକ୍ଳୋଜର ଭିତରେ ଏକାକି ରହିଛି ବାଘୁଣି ସୁନ୍ଦରୀ । ତାର ଗତି ବିଧି ଉପରେ ନଜର ରଖାଯାଇଥିବା ବେଳେ ଆଗକୁ ସୁନ୍ଦରୀର ଠିକଣା କଣ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଜଂଗଲି ପ୍ରଜାତିର ବାଘ ହୋଇଥିବାରୁ ତାକୁ ନନ୍ଦନକାନନ ଅଣାଗଲେ ନିର୍ଦ୍ଦିଷ୍ଟ ନିୟମାବଳୀକୁ ମାନିବାକୁ ପଡିବ ବୋଲି ଜୁ ଅଟରିଟି ଅଫ ଇଣ୍ଡିଆ ଚିଠି ଲେଖିଥିବା ବେଳେ ଆଜି ବ୍ୟାଘ୍ର ବିଶେଷଜ୍ଞ କହିଛନ୍ତି ବାଘର ବଂଶବୃଦ୍ଧିକୁ ଗୁରୁତ୍ୱ ଦେବା ଆବଶ୍ୟକ । ତେଣୁ ସୁନ୍ଦରୀକୁ ନନ୍ଦନକାନନରେ ଥିବା ଜଙ୍ଗଲି ବାଘ ନନ୍ଦନ ସହ ମିଳାମିଶା ପାଇଁ ସୁଯୋଗ ତିଆରି କରାଯାଉ ।

ଟ୍ରାଙ୍କୁଲାଇଜ ହୋଇ ଷ୍ଟ୍ରେଚରରେ ବୁହାହେବା ଦିନ ଠାରୁ ସୁନ୍ଦରିର ନୂଆ ଠିକଣା ନେଇ ଦ୍ୱନ୍ଦ ଲାଗି ରହିଛି । ସେପଟେ ଏନିଟିସିଏ ବି ଏଦିଗରେ କୈାଣସି ସ୍ପଷ୍ଟ ସୂଚନା ଦେଇପାରୁ ନାହିଁ । ବାରମ୍ବାର ଚିଠି ଲେଖିବା ପରେ ବି ନ୍ୟାସନାଲ ଟାଇଗର କନଜର୍ଭେସନ ଅଥରିଟିଙ୍କ ଠାରୁ ଉତ୍ତର ମିଳୁ ନଥିବାରୁ ଦ୍ୱନ୍ଦ ବଢୁଛି ।

 

ଏହାରି ଭିତରେ ବ୍ୟାଘ୍ର ବିଶେଷଜ୍ଞ କହିଛନ୍ତି ନନ୍ଦନକାନନରେ ଥିବା ମହାବଳ ନନ୍ଦନ ସହ ସୁନ୍ଦରୀର ସହବାସ ପାଇଁ ବ୍ୟବସ୍ଥା କରାଯିବା ଉଚିତ । କାରଣ ଉଭୟେ ଜଙ୍ଗଲି ପ୍ରଜାତିର ବାଘ । ୦୫ବର୍ଷ ତଳେ ସାଥି ସନ୍ଧାନରେ ନନ୍ଦନକାନନକୁ ଚାଲି ଆସିଥିଲା ନନ୍ଦନ ।ଆଉ ବର୍ତମାନ ତା ପାଇଁ ସେହି ସମାନ ପ୍ରଜାତିର ବାଘୁଣି ମିଳିଯାଇଛି ।

 

ଜୁ ଅଥରିଟି ରାଜ୍ୟ ସରକାରଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ସୁନ୍ଦରୀ ଜଙ୍ଗଲି ବାଘ ହୋଇଥିବାରୁ ତାକୁ ଚିଡିଆଖାନାରେ କ୍ୟାପଟିଭ ଟାଇଗ୍ରେସ ଭାବେ ରଖିବାକୁ ହେଲେ କିଛି କଡା ସର୍ତ ରହିଛି । ହେଲେ ପୂର୍ବରୁ ନନ୍ଦନକାନନକୁ ଆଉ ଏକ ଜଙ୍ଗଲି ବାଘ ଚାଲିଆସି ରହିଥିବାରୁ ନନ୍ଦନ ସହ ସୁନ୍ଦରୀକୁ ରଖିବାରେ କୈାଣସି ଅସୁବିଧା ନାହିଁ ବୋଲି କହିଛନ୍ତି ପ୍ରାଣୀ ବିଶେଷଜ୍ଞ । ନନ୍ଦନ ଓ ସୁନ୍ଦରୀ ଉଭୟେ ଜଙ୍ଗଲି ପ୍ରଜାତିର ହୋଇଥିବାରୁ ମିଳାମିଶା ବ୍ୟବସ୍ଥା କଲେଗାଇଡ ଲାଇନ ଉଲଙ୍ଘନ ହେବ ନାହିଁ । ସୁନ୍ଦରୀ ଓ ନନ୍ଦନଙ୍କ ରହିବା ପାଇଁ ଜଙ୍ଗଲ ବିଭାଗ ବ୍ୟବସ୍ଥା କରିବା ଆବଶ୍ୟକ । ସୁନ୍ଦରୀ ନନ୍ଦନ ମିଶିଲେ ବାଘ ବଂଶବୃଦ୍ଧି ସହ ଜିନ ପୁଲ୍ ସମ୍ଭବ ହେବ । ଏହାସହ ସୁନ୍ଦରୀ ନନ୍ଦନକାନନ ଆସିଲେ ସାତକୋଶିଆ ଲୋକଙ୍କ ଭିତରୁ ଭୟ ବି ଦୂର ହେବ ବୋଲି ପ୍ରାଣୀ ବିଶେଷଜ୍ଞ କହିଛନ୍ତି ।

ସେପଟେ ଗତକାଲି ପିସିସିଏଫ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ସୁନ୍ଦରୀକୁ ନନ୍ଦନକାନନ ନନେବା ପାଇଁ ଜୁଅଥରିଟି ଲେଖିଥବା ଚିଠି ଚୁଡାନ୍ତ ନୁହେଁ ।ଏ ବିଷୟରେ ପୁଣିଥରେ ଏନଟିସିଏ ୱାଇଲଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ଚିଠି ଲେଖାଯାଇଛି । ଏସବୁ ଭିତରେ ସୁନ୍ଦରିର ନୂଆ ଠିକଣା ନେଇ ବଢି ଚାଲିଛି ଦ୍ୱନ୍ଦ । ସେପଟେ ବାଘ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶରୁ ଆସିଥିବା ଏହି ବାଘୁଣିକୁ କେବେ ମିଳିବ ସାଥୀ ତାଉପରେ ସମସ୍ତଙ୍କ ନଜର ରହିଛି ।