ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ବୈଠକ ଡାକିଲା କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ

36

କନକ ବ୍ୟୁରୋ : ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ କେନ୍ଦ୍ର ଜଳ ସଂପଦ ମନ୍ତ୍ରାଳୟର ପ୍ରୟାସ । ଆସନ୍ତାକାଲି ବୈଠକ ଡାକିଲା ବିଭାଗ । ମନ୍ତ୍ରାଳୟର କନଫରେନ୍ସ ହଲରେ ଆସନ୍ତାକାଲି ଅପରାହ୍ନରେ ବୈଠକରେ ସାମିଲ ହେବା ବାଗି ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛି ମନ୍ତ୍ରାଳୟ । ମହାନଦୀ ଉପର ମୁଣ୍ଡରେ ଛତିଶଗଡ ସରକାରଙ୍କ ନିର୍ମାଣ ବିରୋଧରେ ଓଡିଶାର ତୀବ୍ର ପ୍ରତିକ୍ରିୟା ପରେ ସଂସଦରେ ବିଭାଗୀୟ ମନ୍ତ୍ରୀ ଉମାଭାରତୀ କହିଥିଲେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ।

ତେବେ ମୂଳରୁ ଛାତିଶଗଡ ଓ କେନ୍ଦ୍ରରେ ବିଜେପି ସରକାରଙ୍କ ଭୂମିକାକୁ ସମାଲୋଚନା କରିଆସୁଥିବା ବିଜେଡି ସରକାର ଏହି ପ୍ରସ୍ତାବରେ ରାଜି ହେବେ କି ନା ତାହା ଦେଖିବାର କଥା । କାରଣ ମହାନଦୀ ପ୍ରସଙ୍ଗରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ ଏଥରୁ ଅନୁମାନ ଯେ ମହାନଦୀ ପ୍ରସଙ୍ଗରେ ଚୁପ ବସିବେ ନାହିଁ ଓଡିଶା ସରକାର । ସେପଟେ ଛତିଶଗଡ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ବିଜେଡି ଆଣିବ ବୋଲି ଚେତାଇଦେଇଛି ।