ନଗଡା ଗସ୍ତରେ କେନ୍ଦ୍ରୀୟ ଟିମ୍ : ଅପପୃଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣାର ଛାନଭିନ୍ କରିବ ୫ ଜଣିଆ ଟିମ୍

50

ଯାଜପୁର :  ଯାଜପୁର ନଗଡ଼ା ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ନଗଡାରେ ପହଂଚିଛି କେନ୍ଦ୍ରୀୟ ଟିମ୍ । ଗତକାଲି ସଂଧ୍ୟାରେ କାଳିଆପାଣିରେ କେନ୍ଦ୍ରୀୟ ଟିମ୍ ପହଂଚିଥିଲେ । ସେଠାରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଆଜି ପାହାଡ ଚଢି ନଗଡା ଗସ୍ତ କରିଛି ଏହି ଟିମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣାଳୟର ଏହି ୫ ଜଣିଆ ଟିମ୍ ନଗଡ଼ା ଗସ୍ତ କରିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବ ଚେତନ ସାଙ୍ଗିଙ୍କ ନେତୃତ୍ୱରେ ଏହି ଟିମ୍ ଓଡ଼ିଶା ଆସିଛି । ଏହି ଅନୁଧ୍ୟାନକାରୀ ଦଳରେ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଅବଦେଶ କୁମାର, ଶିଶୁ ବିଶେଷଜ୍ଞ ପ୍ରବୀଣ କୁମାର ଓ ଡାକ୍ତର ଅରୁଣ ସିଂହ ପ୍ରମୁଖ ଅଛନ୍ତି । ଏହି ଟିମ ନଗଡ଼ା ଯାଇ ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣାର ତଥ୍ୟ ସଂଗ୍ରହ କରିବ । ଟିମର ସଦସ୍ୟମାନେ ଏନେଇ ରାଜ୍ୟ ସରକାରଙ୍କ ସହ ମଧ୍ୟ ଆଲୋଚନା କରିବେ ଏବଂ କେନ୍ଦ୍ରକୁ ଏନେଇ ଏକ ରିପୋର୍ଟ ପ୍ରଦାନ କରିବେ । ନଗଡ଼ାର ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯାଜପୁରକୁ ପଠାଇବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖିଥିଲେ ।