ବରଗଡ଼ରେ ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଦଳ : ଚାଷୀଙ୍କୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳର ବଳ କଷାକଷି

19

କନକ ବ୍ୟୁରୋ :  ବରଗଡ଼ରେ ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଦଳ । ମୃତ ଚାଷୀଙ୍କ ପରିବାରକୁ ଭେଟିଲା ଟିମ୍ ।ଚାଷୀଙ୍କୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳର ବଳ କଷାକଷି । ଓଡିଶାର ଭାତ ହାଣ୍ଡି ବରଗଡ ଜିଲ୍ଲାରେ ଚକଡା ପୋକର ଚଡକ, ରାଜ୍ୟ ରାଜନୀତିକୁ ଏକପ୍ରକାର ସରଗରମ କରିଛି । ଓଡିଶା ସରକାର ପ୍ରଥମେ ମରୁଡି ଓ ପରେ ରୋଗପୋକ ଜନିତ କ୍ଷୟକ୍ଷତି ପାଇଁ ପ୍ୟାକେଜ ଘୋଷଣା କରିବା ପରେ, ସବୁଠାରୁ ଅଧିକ ପ୍ରଭାବିତ ବରଗଡ ଜିଲ୍ଲାରେ ପହଂଚିଛନ୍ତି ବିଜେପ କେନ୍ଦ୍ରୀୟ ପ୍ରତିନିଧି ଦଳ ।

ପାରମ୍ପରିକ ଚାଷ ଉପରେ ନିର୍ଭର କରୁଥିବା ଓଡିଶାର ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ ହତଛଡା କରିବାକୁ ଚାହୁଁନାହାନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ । ମରୁଡି ଓ ଚକଡା ପୋକ ଦାଉରେ ସର୍ବସ୍ୱ ହରାଇଥିବା ଚାଷୀଙ୍କୁ ନେଇ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଛନ୍ତି ବିଜେଡି ଓ ବିଜେପି ।

ବିଜେପି ରାଷ୍ଟ୍ରୀୟ ସଭାପତି ପଠାଇଥିବା ୬ ଜଣିଆ ଟିମରେ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚାର ସାଧାରଣ ସମ୍ପାଦକ ପି.ସୁଜ୍ଞାନ ରାଓ, ଆନ୍ଧ୍ରପ୍ରଦେଶ କୃଷକ ମୋର୍ଚ୍ଚା ସଭାପତି ପୁଡ୍ଡି ଚିରୁପତି ରାଓ, କିଷାନ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, ସମ୍ପାଦକ ଶମ୍ଭୁ କୁମାର ପ୍ରମୁଖ ଅଛନ୍ତି । ମଧ୍ୟପ୍ରଦେଶ ଧାରର ସାଂସଦ ସାବିତ୍ରୀ ବାଇ ଠାକୁର ଓ ବିହାର ଶିବାନର ସାଂସଦ ଓମପ୍ରକାଶ ଯାଦବଙ୍କ ନେତୃତ୍ୱରେ ଆସିଛନ୍ତି ଏହି ଟିମ୍ । ହେଲେ କେନ୍ଦ୍ରୀୟ ଟିମ ପଠାଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ନେତାମାନଙ୍କ ଏହି ବୟାନବାଜିରୁ ଅନୁମାନ କରିହେଉଛି ଯେ, ଦୁଇ ଦଳ ସଂକେତ ଦେବାକୁ ଚାହୁଁଛନ୍ତି । ଚାଷୀଙ୍କ ଏହି ଦୁର୍ଦ୍ଦିନରେ କିଏ ସେମାନଙ୍କ ସହ ରହିଛି? ରାଜ୍ୟରେ ବିଜେଡି ସରକାର ନା କେନ୍ଦ୍ରରେ ମୋଦି ସରକାର ?