ତିତଲି ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ପହଁଚିଲେ କେନ୍ଦ୍ରୀୟ ଟିମ : ବାତ୍ୟା ପ୍ରଭାବିତ ଗଜପତି, ଗଂଜାମ ଯାଇ କ୍ଷୟକ୍ଷତିର କରିବେ ଆକଳନ

ଅନୁଧ୍ୟାନ ପରେ କେନ୍ଦ୍ରକୁ ଦେବେ ରିପୋର୍ଟ

123

କନକ ବ୍ୟୁରୋ : ତିତିଲି ବାତ୍ୟା ପ୍ରଭାବିତ ୩ ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବାପାଇଁ ଆସିଛନ୍ତି କେନ୍ଦ୍ରୀୟ ଟିମ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ୍କେ ସାହିଙ୍କ ନେତୃତରେ ଟିମ୍ ଓଡିଶା ଆସିଛନ୍ତି । ଏକ ୭ ଜଣିଆ ପ୍ରତିନିଧି ଦଳ ଗଂଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ପ୍ରଭାବିତ ସ୍ଥାନକୁ ଯାଇ କ୍ଷୟକ୍ଷତି ଆକଳନ କରିବେ । ୨ ତାରିଖ ଅପରାହ୍ନରେ ଟିମ ସଚିବାଳୟରେ ମୁଖ୍ୟ ଶାସନସଚିବଙ୍କୁ ସାକ୍ଷାତ କରିବା ସହ କେନ୍ଦ୍ରକୁ କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରଦାନ କରିବେ । ଏହାପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ସାହାଯ୍ୟ ପାଇଁ ଦୁଇ ହଜାର ୭ ଶହ ୭୦ କୋଟି ଟଙ୍କା ମାଗିଛନ୍ତିି ।

ସେପଟେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷବାସ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଗୋପାଳନ, ମତ୍ସ୍ୟ ଚାଷ, ହସ୍ତତନ୍ତ ଓ ସେରିକଲଚର୍ ପାଇଁ ମଧ୍ୟ ସହାୟତା ପ୍ୟାକେଜ୍ ଦେଇଛନ୍ତି ରାଜ୍ୟ ସରକାର । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସବସିଡି ଘୋଷଣା କରାଯାଇଛି । ଅଣଜଳସେଚିତ ଅଂଚଳରେ ୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା କ୍ଷତିପୂରଣ ଦିଆଯିବ । ବର୍ଷିକିଆ ଫସଲ ଯଥା ଆମ୍ବ, କାଜୁ, ନଡ଼ିଆ, ପାନ ବରଜ ପାଇଁ ଚାଷୀଙ୍କୁ ମିଳିବ ହେକ୍ଟର ପିଛା ୧୮ ହଜାର ଟଙ୍କା । ସେହିପରି ତିତଲି ପ୍ରଭାବିତ ଚାଷୀଙ୍କୁ ୨ ଲକ୍ଷ ବିହନ କିଟ୍ ପ୍ରଦାନ କରାଯିବ । ୨୦ ହଜାର ହେକ୍ଟର ଜମିରେ ନଷ୍ଟ ହୋଇଥିବା ଆମ୍ବ, କାଜୁ, କଦଳୀ, ନଡ଼ିଆ ଫସଲର ପୁନରୁଦ୍ଧାର ପାଇଁ ତିନି ବର୍ଷିଆ ସହାୟତା ଦିଆଯିବ । ହେକ୍ଟର ପିଛା ୨୦ ହଜାର ଟଙ୍କା ହାରରେ ପ୍ରଭାବିତ ଆଖୁ ଚାଷୀଙ୍କୁ ସହାୟତା ମିଳିବ ।