କୁନ୍ଦୁଲି ଘଟଣାର ଛାନଭିନ ଆରମ୍ଭ କଲେ ଜାତୀୟ ମାନବାଧୀକାର କମିସନଙ୍କ ଟିମ୍ ! ଆଜି ପୀଡିତାଙ୍କ ପରିବାରକୁ ଭେଟିବେ ୫ଜଣିଆ ଦଳ

18

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି ଜାତୀୟ ମାନବାଧିକାର କମିଶନଙ୍କ ୫ ଜଣିଆ ଟିମ୍ । ଡିଏସପି ରବି ସିଂଙ୍କ ନେତୃତ୍ୱରେ ଆସନ୍ତା ୮ ତାରିଖ ଯାଏଁ କୁନ୍ଦୁଲି ଘଟଣାର ସରଜମିନ ତଦନ୍ତ କରିବ । ଏନଏଚଆରସି ଟିମ ଆଜି ଦିନ ୧୦ଟାରେ ମୂଷାଗୁଡା ଯାଇ ସେଠାରେ ପୀଡିତାଙ୍କ ପରିବାରକୁ ଭେଟି ପୁରା ଘଟଣା ପଚାରି ବୁଝିବେ । ପୀଡିତାଙ୍କ ମାଆ ଉପସ୍ଥିତ ରହି ଆବଶ୍ୟକୀୟ ପ୍ରମାଣ ଦେବାକୁ ମାନବାଧିକାର କମିସନଙ୍କ ତରଫରୁ ମୂଷାଗୁଡାରେ ନୋଟିସ ଟଙ୍ଗା ଯାଇଛି । ଗତକାଲି କୋରାପୁଟ ପହଂଚି ଏନଏଚଆରସି ଟିମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ କିଛି ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଆଗକୁ ପୋଲିସ, ଡାକ୍ତର ଓ କାଉନସେଲରକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡିଛି ।

କୁନ୍ଦୁଲି ନାବାଳିକା ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ନେଇ ଦିନକୁ ଦିନ ରାଜନୀତି ଯୋର ଧରିବାରେ ଲାଗିଛି । ଗତକାଲି ନବୀନ ନିବାସକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ ବିଜେପି କର୍ମୀ । କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା ବିଜେପି କର୍ମୀ ନବୀନ ନିବାସକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ । ଆଉ ସେହି ସମୟରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ରୋକିବା ସମୟରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତେବେ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦଆଯାଇଥିଲା । ଅଧିକ ୫ ପ୍ଲାଟୁନ ପୋଲିସ୍ ମୁତୟନ ହୋଇଥିଲେ ।