ଦୁଷ୍କର୍ମ ମାମଲାରେ କେନ୍ଦ୍ରର କଡ଼ା ଆଭିମୁଖ୍ୟ । ୨ ମାସ ମଧ୍ୟରେ ଦୁଷ୍କର୍ମ ଓ ପକସୋ ମାମଲାର  ତଦନ୍ତ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯିବ ଚିଠି

182

କନକ ବ୍ୟୁରୋ : ସାରା ଦେଶରେ ବଢୁଥିବା ଦୁଷ୍କର୍ମ ଅଭିଯୋଗ ଓ ତେଲେଙ୍ଗାନା ପୁଲିସର ଏନକାଉଂଟର ଘଟଣା ପରେ କଠୋର ଅଭିମୁଖ୍ୟ ପୋଷଣ କରିଛନ୍ତି କେନ୍ଦ୍ର ସରକାର । ଜିରୋ ଏଫଆଇଆର ବା ସବୁ ଥାନାରେ ଯେକୈାଣସି ଦୁଷ୍କର୍ମ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସରକାର ତ୍ୱରିତ ଦଣ୍ଡ ବିଧାନ ଉପରେ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯିବ  । ପକସୋ ଆଇନରେ ରୁଜୁ ହୋଇଥିବା ମାମଲା ଗୁଡିକର ତଦନ୍ତ ଦୁଇମାସ ଭିତରେ ସାରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିବେ କେନ୍ଦ୍ର ସରକାର ।

ସେହିପରି ତ୍ୱରିତ ବିଚାର ପାଇଁ ମୁଖ୍ୟ ବିଚାରପତିମାନଙ୍କୁ ମଧ୍ୟ କେନ୍ଦ୍ର ଆଇନ ମନ୍ତ୍ରାଳୟ ଚିଠି ଲେଖିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ।  ନାବାଳିକାଙ୍କୁ ଦୁଷ୍କର୍ମ ସମ୍ପର୍କୀତ ମାମଲାର ଟ୍ରାଏଲ ବା ବିଚାର ପ୍ରକ୍ରିୟା ୬ମାସ ଭିତରେ ସାରିବା ପାଇଁ ଖୁବ ଶୀଘ୍ର ଚିଠି ଲେଖିବେ କେନ୍ଦ୍ର ସରକାର । ଫାଷ୍ଟଟ୍ରାକ କୋର୍ଟରେ ପକସୋ ଆଇନ ଅଧିନରେ ଚାଲିଥିବା ମାମଲାର ତ୍ୱରିତ ଶୁଣାଣି ପାଇଁ ବି ଅନୁରୋଧ କରାଯିବ ବୋଲି କହିଛନ୍ତି ରବିଶଙ୍କର । ଏହା ସହ କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି ମହିଳା କିମ୍ବା ନାବାଳିକାଙ୍କ ଉପରେ ଦୁଷ୍କର୍ମ ଅତ୍ୟନ୍ତ ନିନ୍ଦନୀୟ । ଏଭଳି ମାମଲାରେ କେବେ ବି ଦୋଷୀଙ୍କୁ ଛଡା ଯିବ ନାହିଁ । ଏହା ସହ ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ।